‘କରୋନାଭାଇରସ୍‌’ର ପ୍ରତିଷେଧକ ଟିକା ଉଦ୍ଭାବନ ଦୌଡ଼ରେ ବ୍ରିଟିସ୍‌ ବୈଜ୍ଞାନିକ ଅଗ୍ରଣୀ

ଲଣ୍ଡନ: ‘କରୋନାଭାଇରସ୍‌’ ନିମନ୍ତେ ପ୍ରତିଷେଧକ ଟିକା ଉଦ୍ଭାବନ କରିବାରେ ଜଣେ ଅଗ୍ରଣୀ ବ୍ରିଟିସ୍‌ ବୈଜ୍ଞାନିକ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଛନ୍ତି। କୌଣସି ଏକ ରୋଗ ନିମନ୍ତେ ପ୍ରତିଷେଧକ ଟିକା ଉଦ୍ଭାବନ କରିବାକୁ ସାଧାରଣତଃ ଦୁଇରୁ ତିନି ବର୍ଷ ଲାଗୁଥିବା ବେଳେ ସେ ମାତ୍ର ୧୪ ଦିନରେ ଏହାକୁ ବିକଶିତ କରିଛନ୍ତି ବୋଲି ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟ କରିଛି।

ଏହି ବୈଜ୍ଞାନିକ ହେଉଛନ୍ତି ‘ଇମ୍ପେରିଆଲ୍‌ କଲେଜ୍‌ ଲଣ୍ଡନ୍‌’ର ‘ମ୍ୟୁକସାଲ୍‌ ଇନ୍‌ଫେକ୍‌ସନ୍‌ ଆଣ୍ଡ୍‌ ଇମ୍‌୍ୟୁନିଟି’ର ମୁଖ୍ୟ ରବିନ୍‌ ସାଟକ୍‌। ଯଥା ଶୀଘ୍ର ସମ୍ଭବ ଆସନ୍ତା ସପ୍ତାହରେ ସେ ଏହି ଟିକାକୁ ପ୍ରାଣୀଙ୍କ ଦେହରେ ପରୀକ୍ଷା କରିବେ। ଯଦି ପରୀକ୍ଷା ପ୍ରକ୍ରିୟା ନିମନ୍ତେ ଯଥେଷ୍ଟ ପାଣ୍ଠି ମିଳେ ତେବେ ଗ୍ରୀଷ୍ମଋତୁରେ ଏହାକୁ ମଣିଷ ଶରୀରରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯିବ।

Image Source: Sky News

ସେ କହିଛନ୍ତି: କୌଣସି ଟିକାକୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଦେବା ଉପଯୋଗୀ କରିବାକୁ ପାରମ୍ପରିକ ଭାବେ ୨/୩ ବର୍ଷ ଲାଗେ। କିନ୍ତୁ ଆମେ ସେ ଧାରା ଅତିକ୍ରମ କରି ପରୀକ୍ଷାଗାରରେ ମାତ୍ର ୧୪ ଦିନ ମଧ୍ୟରେ ଏହାକୁ ପ୍ରସ୍ତୁତ କରିଛୁ।

ଏବେ ବ୍ୟାପୀଥିବା କରୋନାଭାଇରସ୍‌ ନିମନ୍ତେ ଏହା ବ୍ୟବହାର ହୋଇ ପାରିବ ନାହିଁ, କିନ୍ତୁ ଏହା ପରେ ଯଦି ବ୍ୟାପେ ତେବେ ଏହି ଟିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଦେଶୀ ଗଣମାଧ୍ୟମ କହିଛି।

ସମ୍ବନ୍ଧିତ ଖବର