ଲଣ୍ଡନ: ଚଳିତ ସପ୍ତାହ ଆରମ୍ଭରେ ଇଂଲଣ୍ଡରେ ଜଣେ ବ୍ରିଟିସ ଶିଖ୍ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି, ଯାହାକୁ ‘ଜାତିଗତ ଆକ୍ରମଣ’ ଭାବେ ବିବେଚନା କରାଯାଉଛି। ଏହି ମାମଲାରେ ବ୍ରିଟେନ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସ୍ଥାନୀୟ ପୁଲିସ କହିଛି ଯେ, ୱେଷ୍ଟ ମିଡଲ୍ୟାଣ୍ଡର ସାଣ୍ଡୱେଲର ଓଲ୍ଡବରୀର ଟେମ୍ ରୋଡ୍ରେ ଜଣେ ୨୦ ବର୍ଷୀୟା ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ମହିଳା ଜଣକ କହିଛନ୍ତି ଯେ ଆକ୍ରମଣ ସମୟରେ ତାଙ୍କୁ ଜାତିଆଣ ମନ୍ତବ୍ୟ ଦିଆଯାଇଥିଲା।
ସନ୍ଦିଗ୍ଧମାନେ ଦୁଇଜଣ ଶ୍ୱେତାଙ୍ଗ ବୋଲି ସେ ବର୍ଣ୍ଣନା କରିଛନ୍ତି। ଶିଖ୍ ଫେଡେରେସନ୍ (ୟୁକେ) କହିଛି ଯେ ଆକ୍ରମଣ ସମୟରେ ଅପରାଧୀମାନେ ମହିଳାଙ୍କୁ କହିଥିଲେ, ତୁମେ ଏହି ଦେଶର ନୁହଁ, ଏ ଦେଶ ଛାଡ଼ି ପଳାଅ। ସାଣ୍ଡୱେଲ ପୁଲିସର ମୁଖ୍ୟ ଅଧୀକ୍ଷକ କିମ୍ ମାଡିଲ୍ କହିଛନ୍ତି, ସିସିଟିଭି ଫୁଟେଜ୍ ଓ ଫୋରେନସିକ୍ ଯାଞ୍ଚ ସହ ଅନ୍ୟାନ୍ୟ ଅନୁସନ୍ଧାନ ଚାଲିଛି। ଆମେ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଓ ଗିରଫ କରିବା ପାଇଁ ଉଦ୍ୟମ କରୁଛୁ।