ଇଂରେଜମାନେ ଆଉ ୧୦୦ ବର୍ଷ ଭାରତ ଶାସନ କରିବା ଉଚିତ ଥିଲା: ରାଜସ୍ଥାନରେ କହିଲେ ବିଏସ୍‌ପି ନେତା

ଜୟପୁର: ୧୯୪୭ ମସିହାରେ ଭାରତ ବ୍ରିଟିଶ୍‌ ଶାସନ କବଳରୁ ମୁକ୍ତ ହୋଇଥିଲା, କିନ୍ତୁ ଜଣେ ବିଏସ୍‌ପି ନେତା କହିବା ଅନୁସାରେ, ସାମ୍ରାଜ୍ୟବାଦୀମାନେ ଦେଶକୁ ଆଉ ୧୦୦ ବର୍ଷ ଶାସନ କରିଥିଲେ ଅନୁସୂଚିତ ଜାତି/ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଜାତି ବର୍ଗର ଲୋକେ ଉନ୍ନତି କରି ପାରିଥାନ୍ତେ।

ଗୁରୁବାର ଦିନ ଏକ ରାଲିରେ ଏ ଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଏସ୍‌ପି ମୁଖ୍ୟ ଧରମବୀର ସିଂହ। ସେ କହିଲେ: ଆଉ ୧୦୦ ବର୍ଷ ଲାଗି ଇଂରେଜମାନେ ଏ ଦେଶ ଶାସନ କରିବା ଉଚିତ ଥିଲା। ତାହା ହୋଇଥିଲେ, ଅନୁସୂଚିତ ଜାତି/ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଜାତି ବର୍ଗର ଲୋକେ ନିଷ୍ପେଶିତ ହୋଇ ନ ଥାଆନ୍ତେ।

ଧରମବୀର ଦାବି କରିଥିଲେ କି, ଇଂରେଜମାନେ ଯଦି ବିଆର୍‌ ଆମ୍ବେଦକରଙ୍କୁ ପଢ଼ିବାକୁ ଅନୁମତି ଦେଇ ନ ଥାଆନ୍ତେ ତେବେ ସେ ଦେଶର ପଛୁଆ ବର୍ଗଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହୋଇ ନ ଥାଆନ୍ତେ। ସେ କହିଲେ: ଇଂରେଜମାନଙ୍କ ଶାସନ ଅଧୀନରେ, ବାବା ସାହେବ ପଢ଼ିବାକୁ ସୁଯୋଗ ପାଇଲେ। ଯଦି ସେମାନେ ଆସି ନ ଥାଆନ୍ତେ, ବାବା ସାହେବଙ୍କୁ କୌଣସି ବିଦ୍ୟାଳୟ ନାଁ ଲେଖାଇ ଦେଇ ନ ଥାଆନ୍ତେ।

ତାଙ୍କର ଏଭଳି ମନ୍ତବ୍ୟକୁ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଗ୍ରହଣ କରି ପାରି ନାହାନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା ଅଗଣିତ ବ୍ୟକ୍ତିଙ୍କ ପ୍ରତି ଏହା ଅପମାନ କହି ସେମାନେ ଧରମବୀରଙ୍କୁ ସମାଲୋଚନା କରିଛନ୍ତି। ଜଣେ କହିଛନ୍ତି: ଯଦି ସେ ଅନୁଭବ କରୁଛନ୍ତି କି, ଦେଶ ଶାସନ କରିଥିବାରୁ ଋଣ ପରିଶୋଧ କରିବାକୁ ଅଛି ତେବେ ସେ ଯାଇ ଇଂଲଣ୍ଡ୍‌ରେ ଆଶ୍ରୟ ନିଅନ୍ତୁ।

ରାଜସ୍ଥାନରେ ଡିସେମ୍ବର ୭ ତାରିଖରେ ନିର୍ଦ୍ଧାରିତ ହୋଇଥିବା ନିର୍ବାଚନରେ ପଛୁଆ ବର୍ଗର ଲୋକଙ୍କ ଠାରୁ ଭୋଟ୍‌ ପାଇବାକୁ ବିଏସ୍‌ପି ଚାହୁଁଛି। ସମସ୍ତ ୨୦୦ ଆସନରେ ବିଏସ୍‌ପି ପ୍ରାର୍ଥୀ ଠିଆ କରାଉଛି।

ସମ୍ବନ୍ଧିତ ଖବର