ଚୀନ ସୀମାରେ ଭାରତ ନିର୍ମାଣ କଲା ବିଶ୍ୱର ଉଚ୍ଚତମ ସଡ଼କ

ନୂଆଦିଲ୍ଲୀ: ଚୀନ ସୀମାରେ ପରିବହନ ବ୍ୟବସ୍ଥାକୁ ସୃଦୁଢ଼ କରିବା ପାଇଁ ଭାରତ ଲଦାଖରେ ବିଶ୍ୱର ସବୁଠାରୁ ଉଚ୍ଚ ସଡ଼କ ନିର୍ମାଣ କରିଛି। ଖାସ୍‌ କଥା ହେଉଛି, ଏହି ରାସ୍ତାରେ ଭାରୀଯାନ ସହ ମୋଟର ସାଇକେଲ ବି ଚଲା ଯାଇପାରିବ। ଯାନବାହନ ଚଳାଚଳ ସୁବିଧା ଥିବା ଏହି ସଡ଼କ ସୀମାନ୍ତ ଅଞ୍ଚଳରେ ପରିବହନ ଓ ଯୋଗାଯୋଗକୁ ସହଜ ଓ ସମୟ ସାପେକ୍ଷ କରିବାରେ ସହାୟକ ହେବ।

ବର୍ଡର ରୋଡ ଅର୍ଗାନାଇଜେସନ୍‌ (ବିଆରଓ) ପକ୍ଷରୁ ଜମ୍ମୁ-କଶ୍ମୀରର ଲଦାଖରେ ନିର୍ମିତ ହୋଇଥିବା ଏହି ସଡ଼କ ସମ୍ପର୍କରେ କୁହାଯାଇଛି କି,ଏହି ସଡ଼କ ଲଦାଖର ଉମଲିଙ୍ଗ ଶୀର୍ଷରୁ ଆରମ୍ଭ ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୧୯,୩୦୦ଫୁଟ ଉଚ୍ଚରେ ନିର୍ମିତ । ଏହା ଲେହରୁ ୨୩୦କିମି ଦୂର ହାନଲେ ନିକଟରେ ଅବସ୍ଥିତ। ଚିସୁମଲେ ଓ ଡେମଚୋକ ସୀମାବର୍ତ୍ତୀ ଗ୍ରାମକୁ ଯୋଡ଼ିବା ପାଇଁ ଏହି ୮୬କିମି ଲମ୍ବା ସଡକ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ।

ବିଆରଓ କର୍ମଚାରୀଙ୍କ ବହୁ ପରିଶ୍ରମ ଫଳରେ ଏହି ସଡ଼କ ନିର୍ମିତ ହୋଇପାରିଛି। ଜଣେ ବିଆରଓ ଅଧିକାରୀଙ୍କ କହିବାନୁସାରେ, ଖରାଦିନେ ଏଠାରେ ତାପମାତ୍ରା ୦ ରୁ ୨୦ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ କମ ରହିଥାଏ। ଶୀତଦିନେ ଏହା ୦ରୁ ୪୦ଡିଗ୍ରି ତଳକୁ ଖସି ଯାଇଥାଏ। ଏଭଳି ପରିସ୍ଥିତିରେ ଏଠାରେ କାମ କରିବା ବହୁ କଷ୍ଟ ହୋଇଥାଏ। ଏଠାରେ ଅମ୍ଳଜାନ ମାତ୍ର ସାଧାରଣସ୍ଥାନରୁ ୫୦ପ୍ରତିଶତ କମ୍‌ ରହିଥାଏ।

ସମ୍ବନ୍ଧିତ ଖବର