ୱାସିଂଟନ: ଆମେରିକାରେ ହାଡ଼ଭଙ୍ଗା ଜାଡ଼ ଲୋକଙ୍କ ଜୀବନ ନେଉଛି। ୯ଟି ରାଜ୍ୟରେ ୪୩ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ହେଲାଣି। ପ୍ରବଳ ଥଣ୍ଡା ଲାଗି ରହିଥିବାରୁ ଅଧିକ ବରଫ ପଡ଼ିବାରେ ଲାଗିଛି। ବରଫପାତ କାରଣରୁ ଲୋକଙ୍କ ସଂପତ୍ତି ନଷ୍ଟ ହେବା ସହିତ ହଜାର ହଜାର ଲୋକ ବିନା ବିଜୁଳିରେ ଜୀବନ ନିର୍ବାହ କରୁଛନ୍ତି। ଆଗାମୀ ଦିନରେ ଅଧିକ ବରଫ ପାତ ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଥଣ୍ଡା କାରଣରୁ ଲୋକମାନେ ହାଇପୋଥର୍ମିଆ, କାର୍ବନ ମନୋକସାଇଡ ପଏଜନିଂ ଏବଂ କାର୍‌ ଦୁର୍ଘଟଣା ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଟେନେସିରେ ଗତ ସପ୍ତାହକ ମଧ୍ୟରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ‌ଓରେଗାଓଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ପେନସିଲଭାନିଆରେ ଏକ ଟ୍ରଲର ଧକ୍କାରେ ୫ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।