କୋଭିଡ୍ ଅନାଥ ପିଲାଙ୍କୁ ବିକୁଛନ୍ତି ଦଲାଲ୍‌!

ସୋସିଆଲ ମିଡିଆରେ ରାକେଟ ସକ୍ରିୟ, ଦାବି କରୁଛନ୍ତି ୫ରୁ ୮ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହରରେ ଅନେକ ପିଲା ପିତାମାତାଙ୍କୁ ହରାଇ ଅନାଥ ‌ହୋଇପଡ଼ିଛନ୍ତି। ସେମାନଙ୍କୁ ‌ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସୋସିଆଲ୍ ମିଡିଆରେ ଜୋରସୋର ପ୍ରଚାର କରାଯାଉଛି। ଏହି ଅସମୟରେ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ଆଳରେ କିଛି ଅସାମାଜିକ ବ୍ୟକ୍ତି ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି। ନଗଦ ରାଶି ବଦଳରେ ସେମାନଙ୍କୁ ଚାଲାଣ କରିବା ଲାଗି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଏଭଳି ଅନାଥ ପିଲାମାନଙ୍କ ପ୍ରତି ‌ଚାଲାଣ ଓ ଶୋଷଣ ବିପଦ ବଢ଼ିଯାଇଛି।

ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଗତକିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଚାଲିଛି। ଏହା ପଛରେ ଅସଲ ଉଦ୍ଦେଶ୍ୟଟି କଣ? ଏହା ଜାଣିବା ଲାଗି ଦିଲ୍ଲୀର ଶିଶୁ ଅଧିକାର ସୁରକ୍ଷା କମିସନ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। କମିସନର ଜଣେ ଅଧିକାରୀ ସୋସିଆଲ ମିଡିଆରେ ପ୍ରଚାରିତ ଏକ ନମ୍ବରକୁ କଲ୍‌ କରି ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ତେ‌ବେ ତାଙ୍କୁ ଯାହା ଉତ୍ତର ମିଳିଲା ସେଥିରେ‌ ସେ ଆଶ୍ଚାର୍ଯ୍ୟ ହୋଇଯାଇଥିଲେ। ଫୋନ୍‌ ଧରିଥିବା ସଂସ୍ଥାର ଜଣେ ବ୍ୟକ୍ତି ସଂପୃକ୍ତ ଅଧିକାରୀଙ୍କ ଠାରୁ ଟଙ୍କା ଦାବି କରିଥିଲା। ଝିଅ ପିଲା ପିଛା ୫ ଲକ୍ଷ ଏବଂ ପୁଅ ପିଲା ପିଛା ୮ ଲକ୍ଷ ଟଙ୍କା ଦାବି କରିଥିଲା।

ଏସମ୍ପର୍କରେ କମିସନ ତରଫରୁ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ‌ସେହିପରି କୋଲକାତାରୁ ଏକ ଅନାଥ ଶିଶୁକୁ ଚାଲାଣ ପାଇଁ ଉଦ୍ୟମ ହେଉଥିଲା ଯାହାର ସୂଚନା ପଶ୍ଚିମବଙ୍ଗ ପୁଲିସକୁ ମଧ୍ୟ ଦିଆଯାଇଛି। ମିଳିଥିବା ଖବର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଅନାଥ ହୋଇପଡ଼ିଥିବା ପିଲାମାନଙ୍କୁ ଚାଲାଣ/ବିକ୍ରି ପାଇଁ ରାକେଟ ସକ୍ରିୟ ହୋଇଯାଇଛି। ସେମାନେ ଏଭଳି ପିଲାମାନଙ୍କୁ ଆଣି ଚାଲାଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେମାନେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ୧୧ରୁ ମେ’ ୨୨ ତାରିଖ ଭିତରେ ୫୭୭ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି। ଆଉ ଏକ ଏନଜିଓ ତଥ୍ୟ ଅନୁସା‌େରେ ଦେଶରେ ପାଖାପାଖି ୧୦ ହଜାର ପିଲା ଅନାଥ ହୋଇଛନ୍ତି। କିନ୍ତୁ ଏହି ସଂଖ୍ୟା ଅଧିକ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଦିଲ୍ଲୀ ଶିଶୁ ସୁରକ୍ଷା କମିସନର ଅଧ୍ୟକ୍ଷ ଅନୁରାଗ କୁଣ୍ଡୁ କହିଛନ୍ତି ଯେ ସାଧାରଣତଃ ଅନାଥ ପିଲାଙ୍କ ଦେଖାଶୁଣା ବ୍ୟବସ୍ଥା କରିବା ଲାଗି କମିସନ ପ୍ରଥମେ ତାଙ୍କ ସମ୍ପର୍କୀୟ, ପଡ଼ୋଶୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲଡ୍‌ଲାଇନ୍, ଏନ୍‌ଜିଓ କିମ୍ବା କାଉନ୍‌‌ସେଲରଙ୍କୁ ସାକ୍ଷାତ କରନ୍ତି। ସେଥିରୁ କୌଣସି ସୁଫଳ ନମିଳିଲେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥାପନ କରିବା ପରେ ପିଲାଟିକୁ ସଂସ୍ଥାଗତ ଯତ୍ନ ପାଇଁ ପଠାଇ ଦିଆଯାଏ। ଯେଉଁ ପିଲାମାନଙ୍କୁ କେହି ଗ୍ରହଣ କରନ୍ତି ନାହିଁ ସେମାନଙ୍କୁ ଆଇନଗତ ପ୍ରକ୍ରିୟାରେ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ।

ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନୋବେଲ୍ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାକେଶ ସେନ୍‌ଗର କହିଛନ୍ତି ଯେ ବେଆଇନ ଭାବେ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଥିବା ବିଷୟରେ ଜାତୀୟ ମାନବାଧିକାର କମିସନ, ଶିଶୁ ସୁରକ୍ଷା କମିଟି ଓ ତଦନ୍ତ ଏଜେନ୍ସିଗୁଡ଼ିକୁ ସୂଚନା ଦିଆଯାଇଛି। ସଂଯୋଗ ନାମକ ଏନ୍‌ଜିଓର ପ୍ରତିଷ୍ଠାତା ସଦସ୍ୟ ରୁପ୍ ସେନ୍ କହିଛନ୍ତି ଯେ କରଜ ଜନିତ ଗୋତି ଶ୍ରମିକ ପ୍ରଥା ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ଗରିବ ରାଜ୍ୟଗୁଡ଼ିକରେ ଏକ ପ୍ରମୁଖ ସମସ୍ୟା। ‌ଯୌନକର୍ମୀମାନେ ଅଧିକ ଋଣରେ ବୁଡ଼ି ରହୁଥିବାରୁ ସେମାନଙ୍କ ପିଲାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ।

ପାଟନାର ଏକ ଏନ୍‌ଜିଓ ସେଣ୍ଟର ଡାଇରେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁରେଶ କୁମାର କହିଛନ୍ତି ଯେ ମହାମାରୀରେ ମାନବ ଚାଲାଣ ଏକ ସଂଗଠିତ, କିନ୍ତୁ ଲୁଚି ରହିଥିବା ଅପରାଧ। ଏହି ସଂସ୍ଥା ଜୟପୁରର ଏକ କାଚ କାରଖାନାରୁ ୫୦୦ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପିଲାଙ୍କ ପିତାମାତା କରୋନାରେ ପ୍ରାଣ ହରାଇଥିଲେ। ଟ୍ରେନ୍ ଚଳାଚଳ କରୁଥିବା ବେଳେ ଅତି ସହଜରେ ମାନବ ଚାଲାଣ ହେଉଥିଲା। କରୋନା ମହାମାରୀ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଚାଲାଣକାରୀମାନେ ଅନ୍ୟ ଉପାୟ ଅବଲମ୍ବନ କରୁଛନ୍ତି। ଚାଲାଣକାରୀମାନେ ପିଲାମାନଙ୍କ ଆଧାର କାର୍ଡରେ ଜାଲିଆତି କରି ସେମାନଙ୍କ ବୟସ ବଦଳାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର