ଭୋପାଳ: ଗତମଙ୍ଗଳବାର ଗ୍ୱାଲିୟରର ତାପମାତ୍ରା ୪୬ ଡିଗ୍ରିରେ ପହଞ୍ଚିଯାଇଥିଲା। ଏହି କାରଣରୁ ସେଠାକାର ବାସିନ୍ଦା ତାତି ସହ୍ୟ କରି ନପାରି ହନ୍ତସନ୍ତ ହେଉଛନ୍ତି। ଘରୁ ବାହାରିବା ସମ୍ଭବ ହେଉନାହିଁ। କିନ୍ତୁ ଯେଉଁମାନଙ୍କ ଜରୁରୀ କାମ ରହୁଛି ସେମାନେ ପ୍ରବଳ ଖରା ସତ୍ତ୍ବେ ବାହାରକୁ ବାହାରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ତାତି ହେତୁ ଗ୍ୱାଲିୟରରେ ୧୨ ଏବଂ ୧୫ ବର୍ଷ ବୟସର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ମୋନିକା ଏବଂ ଅଭିଷେକ ସେମାନଙ୍କ ମା’ ସୁନୀତାଙ୍କ ସହ ଗ୍ୱାଲିୟରଠାରୁ ୮୫ କିଲୋମିଟର ଦୂରରେ ଥିବା ମୋରେନା ଜିଲ୍ଲାର କୈଳାରାସ କସେୱେ ସହରକୁ ନିଜର ପକ୍ଷାଘାତ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିଲେ।
ଔଷଧ ନେଇ ଅଟୋରେ ଘରକୁ ଫେରୁଥିବା ବେଳେ ମା’ ସୁନୀତା ମୋନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ନିକଟସ୍ଥ ଔଷଧ କେନ୍ଦ୍ରକୁ ଯାଇ ମୋନିକାଙ୍କୁ କିଛି ଔଷଧ ଦେଇଥିଲେ। ସେଠାରେ ଥିବା କର୍ମଚାରୀ ସୁନୀତାଙ୍କୁ ତୁରନ୍ତ ତାଙ୍କ ଝିଅକୁ ଡାକ୍ତରଖାନା ନେଇ ଯିବାକୁ କହିଥିଲେ। ଏହି ସମୟରେ ଅଟୋରେ ପୁଅ ଅଭିଷେକର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ବାକୁ ଲାଗିଥିଲା।
ମା’ ସୁନୀତା ପୁଅ ଓ ଝିଅ ଦୁହିଁଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ମା’ ତାର ଦୁଇମୃତ ସନ୍ତାନକୁ କୋଳରେ ଧରି କାନ୍ଦିକାନ୍ଦି ଅଚେତ ହୋଇପଡ଼ୁଥାଏ। କୋଳଶୂନ୍ୟ ହୋଇଯାଇଥିବା ମା’ର ଦୁଃଖ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ଛାତି ଫାଟି ପଡ଼ୁଥାଏ।