ଭଉଣୀ ଛାତ ଉପରେ ବୁଲୁଥିବାରୁ ଭାଇ ମାଡ଼ ମାରି ଘରେ ଟାଙ୍ଗି ଦେଲା

ପିଲିଭିତ : ଉତ୍ତରପ୍ରଦେଶର ପିଲିଭିତ୍‌ରେ ରକ୍ଷାବନ୍ଧନ ପୂର୍ବରୁ ଜଣେ ଭାଇ ତାର ଭଉଣୀକୁ ହତ୍ୟା କରିଛି। ସୋମବାର ସକାଳେ ଯୁବତୀଙ୍କ ମୃତଦେହ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମାଆ ଥାନାରେ ପୁଅ ନାମରେ ଅଭିଯୋଗ କରିଛନ୍ତି। ଏହାପରେ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଗିରଫ କରି ପୁଲିସ ପଚରାଉଚରା କରୁଛି। ଏହି ଘଟଣା ଦେଓରିଆ କୋଟୱାଲୀ ଅଞ୍ଚଳର ପାକଡ଼ିଆ ଗାଁରେ ଘଟିଛି।

ସୋମବାର ସକାଳେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ ମୃତଦେହ ଝୁଲୁ ଥିବାର ଦେଖି ଘରେ ବିଶୃଙ୍ଖଳା ଦେଖାଦେଇଥିଲା। ମୃତକଙ୍କ ମା ବିମଳା ଦେବୀ ଅଭିଯୋଗ କରିଛନ୍ତି, ତାଙ୍କ ଝିଅ ଛାତ ଉପରେ ବୁଲୁଥିବା ଦେଖି କିଛି ଗ୍ରାମବାସୀ ପୁଅକୁ ଭର୍ତ୍ସନା କରିଥିଲେ। ଭଉଣୀ ଯୁବତୀ ହୋଇଗଲାଣି, ତାକୁ ବାହା କରିଦିଅ। ଏଭଳି ତାଚ୍ଛଲ୍ୟ କଥା ଶୁଣି ପୁଅ ଅନିଲ ରାଗିଯାଇ ରବିବାର ବିଳମ୍ବିତ ରାତିରେ ନିଜ ଭଉଣୀକୁ ନିସ୍ତୁକ ମାଡ଼ ମାରିଥିଲା। ସେ କାଳେ ପୁଲିସ ନିକଟରେ ଏକଥା ପ୍ରକାଶ କରିଦେବ ସେଥିପାଇଁ ସେ ଝିଅ ବେକରେ ରଶି ଲଗାଇ ଫ୍ୟାନ୍‌ରେ ଟାଙ୍ଗି ଦେଇଛି। ସୋମବାର ସକାଳୁ ଉଠି ଝିଅର ଝଲନ୍ତା ଶବ ଦେଖି ସେ ପୁଲିସକୁ ଖବର ଦେଇଥିଲେ। ମା’ଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପୁଅ ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରିଥିଲା। ବିସଲପୁର ସର୍କଲ ଅଧିକାରୀ ପ୍ରଶାନ୍ତ ସିଂ କହିଛନ୍ତି, ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର