ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ବରଖାସ୍ତ ହେବା ପରେ କେଜ୍ରିୱାଲ କହିଲେ; ଭାରତ ଆଜି ଆପକୁ ନେଇ ଗର୍ବ କରିବ, ମୋତେ କନ୍ଦାଇଦେଲ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହେବା ପ‌ରେ ତାଙ୍କୁ ଆଣ୍ଟି କର୍‌ପସନ ବ୍ରାଞ୍ଚ୍‌ ଗିରଫ କରିଛି। ଦୁର୍ନୀତି ବିରୋଧରେ ମୁହଁ ଖୋଲିବା ଏବଂ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଟ୍ବିଟରେ କେଜ୍ରିୱାଲ ଲେଖିଛନ୍ତି ଯେ, ଆପଣଙ୍କୁ ନେଇ ଗର୍ବିତ ଭଗୱନ୍ତ। ଆପଣଙ୍କ କାର୍ଯ୍ୟାନୁଷ୍ଠାନ ମୋ ଆଖିରେ ଲୁହ ଆଣିଦେଇଛି। ଆଜି ସମଗ୍ର ଦେଶ ଆପ୍ ଉପରେ ଗର୍ବିତ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ୍ ଏକ ଭିଡିଓ ଟ୍ବିଟ କରି କହିଥିଲେ ଯେ, ମୋର ଜଣେ ମନ୍ତ୍ରୀ ପ୍ରତ୍ୟେକ ଟେଣ୍ଡର ପାଇଁ ୧% କମିଶନ ଦାବି କରୁଥିବା ମୋ ନଜରକୁ ଆସିଥିଲା। ମୁଁ ଏହାକୁ ବହୁତ ଗମ୍ଭୀରତାର ସହ ନେଇଥିଲି। ଚାହିଁଥିଲେ ମୁଁ ଏହାକୁ ଲୁଚାଇ ପାରିଥାନ୍ତି। କିନ୍ତୁ ଏଭଳି କରି ମୁଁ ମୋତେ ବିଶ୍ୱାସ କରୁଥିବା ଲୋକଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଥା’ନ୍ତି।ଲୋକମାନେ ବହୁତ ଆଶା ରଖି ଆପକୁ ଭୋଟ୍ ଦେଇଛନ୍ତି, ଆମକୁ ସେମାନଙ୍କ ବିଶ୍ବାସର ମାନ ରଖିବାକୁ ହେବ। ଯେପର୍ଯ୍ୟନ୍ତ ଭାରତରେ ଅରବିନ୍ଦ କେଜ୍ରିୱାଲଙ୍କ ପରି ପୁଅ ଏବଂ ଭଗୱନ୍ତ ମାନଙ୍କ ପରି ଜଣେ ସୈନିକ ଅଛନ୍ତି, ଦୁର୍ନୀତି ବିରୋଧରେ ଏଭଳି ଯୁଦ୍ଧ ଜାରି ରହିବ।

ndtv

ତେବେ ମନ୍ତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ ପ୍ରମାଣ ପାଇବା ପ‌ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ଏପରି ପଦକ୍ଷେପ ନେଇଛନ୍ତି। ନିଜ କ୍ୟାବିନେଟ୍‌ର ଜଣେ ସଦସ୍ୟଙ୍କ ବିରୋଧରେ ଏପରି କଡ଼ା ପଦକ୍ଷେପ ନେଇ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ। ଏପରି ଘଟଣା ଦେଶ ଇତିହାସରେ ଦ୍ବିତୀୟ।

ସମ୍ବନ୍ଧିତ ଖବର