ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର ବିପର୍ଯ୍ୟୟ ଏହାର ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ତୃତୀୟ ସାମ୍ମୁଖ୍ୟ ସ୍ବପ୍ନକୁ ଚୁର୍ମାର୍ କରିଦେଇଛି। ତେଲେଙ୍ଗାନାରେ କଂଗ୍ରେସର ବଡ଼ ବିଜୟ କେବଳ କେସିଆର୍ଙ୍କୁ ରାଜ୍ୟରେ କ୍ଷମତାଚ୍ୟୁତ କରିନାହିଁ, ଜାତୀୟ ରାଜନୀତିରେ ମଧ୍ୟ ତାଙ୍କ ପ୍ରଭାବକୁ ସଙ୍କୁଚିତ କରିଦେବ ବୋଲି କୁହାଯାଉଛି। ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଆନ୍ଦୋଳନର ନେତୃତ୍ବ ନେଇଥିବା କେସିଆର୍ ତାଙ୍କ କ୍ଷମତା କାଏମ ରଖିବା ପାଇଁ ସବୁ ରଣନୀତି ଆପଣାଇଥିଲେ। କିନ୍ତୁ ସରକାର ବିରୋଧୀ ଲହର ବିଆର୍ଏସ୍ର ବିଜୟ ରଥକୁ ଅଟକାଇଦେଲା ଏବଂ କଂଗ୍ରେସର କ୍ଷମତା ଦଖଲ ପଥକୁ ସୁଗରମ କରିଦେଲା। ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରଠାରୁ ଏକ ଦଶନ୍ଧି ଧରି ଲୋକଙ୍କ କେସିଆର୍ଙ୍କ ପଛରେ ବିପୁଳ ସମର୍ଥନ ରହିଥିଲା। ଏଥର କିନ୍ତୁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିଥିବା ଜନତା କେସିଆରଙ୍କ ‘ପ୍ରତିଶ୍ରୁତି’ ଅପେକ୍ଷା କଂଗ୍ରେସର ‘ଗ୍ୟାରେଣ୍ଟି’କୁ ଅଧିକ ଗ୍ରହଣ କଲେ । ଅନ୍ୟପକ୍ଷରେ ବିଜେପିର ଶକ୍ତି ବୃଦ୍ଧି ବିଆର୍ଏସ୍ ପାଇଁ ବଡ଼ ସଙ୍କଟ ଆଣିଛି। ସରକାର ବିରୋଧୀ ଭୋଟ୍ ବିଭାଜନ ହୋଇ ବିଆର୍ଏସ୍ର ବଡ଼ ବିଜୟ ହେବ ବୋଲି କେତେକ ମହଲ ଆକଳନ କରିଥିବା ବେଳେ ଭୋଟର୍ଙ୍କ ରାୟ ଏହାକୁ ଭୁଲ୍ ପ୍ରମାଣିତ କରିଛି। କର୍ଣ୍ଣାଟକ ବିଜୟ ପରେ ତେଲେଙ୍ଗାନା ବିଜୟ କଂଗ୍ରେସରେ ନୂଆ ଶକ୍ତି ସଂଚାର କରିଛି। ନିର୍ବାଚନ ପୂର୍ବରୁ ବିଆର୍ଏସ୍ ନେତାମାନେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଯାଇଥିଲେ ଏବଂ ଏହାକୁ ନେଇ ଦଳର ସଫେଇକୁ ଲୋକେ ଗ୍ରହଣ କଲେନାହିଁ ବୋଲି କୁହାଯାଉଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେସିଆର୍ଙ୍କ ଝିଅ କେ କବିତାଙ୍କ ନାମ ଆସିବା ପରେ ଏହା ଦଳର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା।
ଜାତୀୟ ରାଜନୀରେ ଆଗକୁ ବଢ଼ ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଥିବା କେସିଆର୍ ତୃତୀୟ ସାମ୍ମୁଖ୍ୟ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଥିବା ବେଳେ ଚଳିତ ନିର୍ବାଚନ ପରିଣାମ ଏଥିରେ ପୂର୍ଣ୍ଣଛେଦ ପକାଇଦେବ ବୋଲି ରାଜନୈତି ସମୀକ୍ଷକମାନେ ମତ ରଖିଛନ୍ତି । ଇଣ୍ଡଆ ମେଣ୍ଟକୁ ବିରୋଧ କରୁଥିବା କେସିଆର ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟି ତାଙ୍କ ଆଭିମୁଖ୍ୟ ସଂପର୍କରେ ଜଣାଇବା ସହ ସମର୍ଥନ ଲୋଡ଼ିଥିଲେ। ଚଳିତ ନିର୍ବାଚନରେ ବିଆର୍ଏସର ବିଜୟ ହୋଇଥିଲା କେସିଆର୍ଙ୍କ ଯୋଜନା ଆଗକୁ ବଢ଼ିଥାନ୍ତା। କିନ୍ତୁ ରାଜ୍ୟରେ ଦଳର ପରାଜୟ ସବୁକିଛି ଓଲଟପାଲଟ କରିଦେଲା। ଜାତୀୟ ରାଜନୀତିରେ ନିଜ ଦଳକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଅବତୀର୍ଣ୍ଣ କରାଇବା ଲକ୍ଷ୍ୟରେ କେସିଆର ଦଳର ନାମ ପରିବର୍ତ୍ତନ କରିଥିଲେ ଏବଂ ସେହି ଆଧାରରେ ବିଭିନ୍ନ ରାଜ୍ୟରେ ସାଂଗଠନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଥିଲେ। ଏବେ କେସିଆର୍ଙ୍କ ଜାତୀୟ ଭୂମିକା ଗୌଣ ହୋଇଥିବା ବେଳେ ଆଗକୁ ସେ କିଭଳି ରଣନୀତି ଅବଲମ୍ବନ କରିବେ ତାହାକୁ ଅପେକ୍ଷା କରାଯାଇଛି।