ଅଗରତାଲା: ମିଜୋରାମ୍‌ରୁ ୩୫ ହଜାର ବ୍ରୁ ଶରଣାର୍ଥୀଙ୍କୁ ଆଣି ତ୍ରିପୁରାରେ ଥଇଥାନ କରିବା ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ତ୍ରିପୁରାରେ ବଡ଼ ଧରଣର ଜନ ଆନ୍ଦୋଳନ ହୋଇଛି। ‌ଜେଏମ୍‌ସି (ଜଏଣ୍ଟ୍‌ ମୁଭମେଣ୍ଟ୍‌ କମିଟି) ସଦସ୍ୟମାନେ ଗତ ୪ ଦିନ ଧରି ବ୍ରୁ ଶରଣାର୍ଥୀଙ୍କ ଥଇଥାନକୁ ବିରୋଧ କରି ତ୍ରିପୁରାରେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ବନ୍ଦ ଡାକରା ଦେଇଛନ୍ତି। । ଆଜି ସକାଳେ ସେମାନେ ଜାତୀୟ ରାଜପଥ ୮ରେ ଆନ୍ଦୋଳନ କରିଥିଲେ। ତେବେ ଆନ୍ଦୋଳନ ହଠାତ୍‌ ହିଂସାତ୍ମକ ମୋଡ଼ ନେଇଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲା। ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଏକାଧିକ ଲୋକ ଆହତ ହୋଇଛନ୍ତି।

Advertisment

୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ପୁଲିସ ସୂଚନାନୁଯାୟୀ ଆନ୍ଦୋଳନକାରୀମାନେ ପାନିସାଗର ସହରର ଜାତୀୟ ରାଜପଥ ବନ୍ଦ କରି ଲଗାତାର ପଥର ମାଡ଼ କରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା। ଆନ୍ଦୋଳନକାରୀ ପୁଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି। ଉତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାପାଇଁ ପୁଲିସ ଗୁଳି ଚାଳନା କରିଥିଲା। ଫଳରେ ପୁଲିସ ଗୁଳି‌ରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ଶ୍ରୀକାନ୍ତ ଦାସ। ସ୍ଥାନୀୟ ‌ଲୋକଙ୍କ ଅନୁଯାୟୀ ଅଗ୍ନିଶମ ବିଭାଗର ଜଣେ ବ୍ୟକ୍ତିଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଛି। ସୋମବାରଠାରୁ ପ୍ରାୟ ୧୫ ହଜାର ଆନ୍ଦୋଳନକାରୀ ବିଭିନ୍ନ ସରକାରୀ ଅଫିସ୍‌ ଏବଂ ବଜାର ଆଗରେ ରୁଣ୍ଡ ହୋଇ ବିକ୍ଷୋଭ ଜାରି ରଖିଥିବାରୁ ଆଜି ସୁରକ୍ଷାକର୍ମୀ ମୁତୟନ ବୃଦ୍ଧି ପାଇଛି।