କର୍ଣ୍ଣାଟକ: ଆସ୍ଥାଭୋଟ୍‌ ଲୋଡ଼ିବା ପୂର୍ବରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା

ବେଙ୍ଗାଲୁରୁ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶନିବାର କର୍ଣ୍ଣାଟକ ବିଧାନସଭାରେ  ଆସ୍ଥାଭୋଟ୍‌ ଲୋଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି। ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ସେ ନିଜର ଅଭିଭାଷଣ ରଖିଥିଲେ। ଏହି ଅଭିଭାଷଣରେ ସେ କହିଥିଲେ କି ଜନାଦେଶ ବିଜେପି ସପକ୍ଷରେ ଥିବା ବେଳେ କଂଗ୍ରେସ ଓ ଜେଡିଏସ୍‌ର ଅସାଧୁମେଣ୍ଟ ଏହାକୁ ରୋକିବାକୁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ୧୩ ପୃଷ୍ଠା ସମ୍ବଳିତ ଭାଷଣ ପଢ଼ିବା ପରେ  ଇସ୍ତଫା ଦେଇଛନ୍ତି।

୨୨୨ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ପାଖରେ ୧୦୪ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ଓ ଜେଡିଏସ୍‌ ପାଖରେ (୭୮ +୩୭) ୧୧୫ ଜଣ ବିଧାୟକ ରହିଛନ୍ତି। ସରକାର ଗଢ଼ିବା ଲାଗି ମ୍ୟାଜିକ ନମ୍ବର ହେଉଛି ୧୧୨। ଇତିମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଅମିତ ଶାହା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ସହିତ ଏ ପ୍ରସଙ୍ଗରେ ଆଲୋଚନା କରିବା ପରେ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଥିଲା କି ଦଳ ପକ୍ଷରୁ କୌଣସି ଅନୈତିକ ପନ୍ଥା ଆପଣାଯିବ ନାହିଁ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ୨୪ଘଣ୍ଟା ଭିତରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ବିଜେପି ଲାଗି ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଥିଲା। କର୍ଣ୍ଣାଟକ ରାଜ୍ୟପାଳ ବିଜେପିର ସରକାର ଗଢ଼ିବା ଦାବିକୁ ଗ୍ରହଣ କରି ୟେଦୁରପ୍ପାଙ୍କୁ ଆମନ୍ତ୍ରଣ କରିଥିଲେ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ୧୫ଦିନ ସମୟ ଦେଇଥିଲେ। ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା। ସର୍ବୋଚ୍ଚ ଅଦାଲତ ମାମଲାର ବିଚାର ପରେ ଶନିବାର ୪ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କହିଥିଲେ।

ସମ୍ବନ୍ଧିତ ଖବର