ରାଜନୀତିରୁ ଅବସର ଘୋଷଣା କଲେ ବିଏସ୍‌ ୟେଦୁରପ୍ପା; ଉତ୍ତରାଧିକାରୀ ବାଛିଲେ ପୁଅ ବିଜୟେନ୍ଦ୍ରଙ୍କୁ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ର ଶିମୋଗା ଜିଲ୍ଲାର ସେମାନଙ୍କ ପରିବାରର ଗଡ଼ ଭାବେ ପରିଚିତ ଶିକାରୀପୁରା ବିଧାନସଭା ଆସନରୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ କହିଛନ୍ତି।

ନିର୍ବାଚନ ରାଜନୀତିରୁ ତାଙ୍କର ଅବସର ସଂପର୍କରେ ସୂଚନା ଦେଇ ଶ୍ରୀ ୟେଦୁରପ୍ପା ତାଙ୍କ ପୁଅପାଇଁ ଜନସମର୍ଥନ ଲୋଡିଛନ୍ତି ଏବଂ ସେ ନିଜେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ୟେଦୁରପ୍ପା ୧୯୮୩ ପରଠାରୁ ଆଜି ପର୍ଯ୍ୟନ୍ତ ଆଠ ଥର ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସିଛନ୍ତି।

ଶିକାରୀପୁରାରେ ଶୁକ୍ରବାର ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ୟେଦ୍ଦୁରାପ୍ପା କହିଛନ୍ତି, ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଯେପରି ଆପଣମାନେ ମୋତେ ସମର୍ଥନ ଦିଅନ୍ତୁ।’ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସପ୍ତାହରେ ଥରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ଏବଂ ନିର୍ବାଚନମଣ୍ଡଳୀରେ ଦଳକୁ ମଜବୁତ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ବିଜୟେନ୍ଦ୍ର ବର୍ତ୍ତମାନ ବିଜେପିର କର୍ଣ୍ଣାଟକ ରାଜ୍ୟ ଉପସଭାପତି ଅଛନ୍ତି।

୭୯ ବର୍ଷ ବୟସ୍କ ବିଏସ୍‌ ୟେଦୁରପ୍ପା ହେଉଛନ୍ତି ଦେଶର ସବୁଠାରୁ ବରିଷ୍ଠ ଲିଙ୍ଗାୟତ ନେତା ଏବଂ ୨୦୧୪ରେ ଶିମୋଗାରୁ ଲୋକସଭା ସଦସ୍ୟ ମଧ୍ୟ ଥିଲେ। ତାଙ୍କ ପୁଅ ରାଘବେନ୍ଦ୍ର ୨୦୧୪ରେ ଶିକାରୀପୁରାରୁ ବିଧାନସଭା ଉପନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ।

ସମ୍ବନ୍ଧିତ ଖବର