କର୍ଣ୍ଣାଟକ : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପିରେ ବଢୁଛି ଗୋଷ୍ଠୀ କନ୍ଦଳ, ୟେଦ୍ୟୁରାପ୍ପାଙ୍କୁ ଘେରାଉ କଲେ ଦଳୀୟ କର୍ମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିରେ ଗୋଷ୍ଠୀ କନ୍ଦଳ ସେତିକି ଫୁଟି ପଦାକୁ ବାହାରୁଛି । ଏହା ଦଳୀୟ ନେତୃତ୍ବର ଚିନ୍ତାର କାରଣ ହୋଇଛି । ଗୁରୁବାରଦିନ ଚିକମାଙ୍ଗାଲୁରୁ ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ କାରକୁ ବିଜେପି କର୍ମୀମାନେ ଘେରାଉ କରିବା ପରେ ସେ ବାଧ୍ୟ ହୋଇ ନିର୍ବାଚନ ପ୍ରଚାର ବାତିଲ କରିଦେଇଛନ୍ତି ।

ୟେଦ୍ୟୁରାପ୍ପା ନିଜ ପରିବାରର ଗଡ଼ ଶିକାରୀପୁରାରୁ  ନିଜ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିବାରୁ ତାହାକୁ  ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ବିରୋଧ କରୁଛନ୍ତି । ବିଜେପିର ବିଜୟ ସଂକଳ୍ପ ଯାତ୍ରାର ନେତୃତ୍ୱ ନେବାପାଇଁ ୟେଦୁରାପ୍ପା ପହଞ୍ଚିବା ପରେ ଚିକମାଙ୍ଗାଲୁରୁ ଜିଲ୍ଲାର ମୁଦିଗେରେ ନିର୍ବାଚନ ମଣ୍ଡଳୀରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ୟେଦୁରପ୍ପାଙ୍କ କାର୍ କୁ ଦଳୀୟ କର୍ମୀ ଓ ସିଟି ରବିଙ୍କ ସମର୍ଥକମାନେ ଘେରାଉ କରିବା ସହ ବିଧାୟକ ଏମ.ପି. କୁମାରସ୍ୱାମୀଙ୍କୁ ବିଧାନସଭା ଟିକେଟ୍ ନଦେବାକୁ ଦାବି କରିଥିଲେ। ଏହି ବିକ୍ଷୋଭ ଯୋଗୁଁ କ୍ରୋଧିତ ଥିବା ୟେଦୁରପ୍ପା ବାଧ୍ୟ ହୋଇ ରୋଡ୍ ସୋ’ ବାତିଲ କରିଥିଲେ ଓ ସେଠାରୁ ଚାଲିଯାଇଥିଲେ ।

କର୍ଣ୍ଣାଟକରେ ବିଜେପି ସରକାର ବିରୋଧୀ ଲହରର ସମ୍ମୁଖୀନ ହେଉଥିବା ବେଳେ ଗୋଷ୍ଠୀ କନ୍ଦ​ଳ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଚିନ୍ତାର କାରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହ ପୁଣି ଥରେ ୟେଦୁରପ୍ପାଙ୍କ ଉପରେ ଭରସା କରୁଥିବାବେଳେ ସ୍ଥାନୀୟ ନେତାମାନେ ୟେଦୁରପ୍ପା ଏବଂ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପସନ୍ଦ କରୁନାହାନ୍ତି ।

ସମ୍ବନ୍ଧିତ ଖବର