ନୂଆଦିଲ୍ଲୀ: ଆସାମ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ‘ସୀମା ସୁରକ୍ଷା ବାହିନୀ’ର (ବିଏସ୍ଏଫ୍) କର୍ତ୍ତୃତ୍ୱ ଅଞ୍ଚଳର ପରିସୀମା ବୃଦ୍ଧି କରିଛି। ସମ୍ପୃକ୍ତ ଅଞ୍ଚଳ ପର୍ଯ୍ୟନ୍ତ ‘ବିଏସ୍ଏଫ୍’ର ଅଧିକାରୀମାନେ ସେମାନଙ୍କର ପ୍ରତିପକ୍ଷ ପୁଲିସ ସହ ସମାନ୍ତରଳ ଭାବେ, ଗିରଫ, ତଲାସ ଏବଂ ଜବତ କରିପାରିବେ।
ପୂର୍ବରୁ ‘ବିଏସ୍ଏଫ୍’ ଅଧିକାରୀମାନେ ଦେଶର ସୀମାନ୍ତରେ ଅବସ୍ଥିତ ଏହି ସବୁ ପ୍ରଦେଶଗୁଡ଼ିକର ୧୫ କିଲୋମିଟର ଅଭ୍ୟନ୍ତର ପର୍ଯ୍ୟନ୍ତ ସେମାନଙ୍କର କର୍ତ୍ତୃତ୍ୱ ଜାହିର କରିପାରୁଥିଲେ। ଏବେ ଉକ୍ତ ପରିସୀମା ୫୦ କିଲୋମିଟର୍ ଅଭ୍ୟନ୍ତର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସେହିପରି ପୂର୍ବରୁ ଗୁଜରାଟରେ ‘ବିଏସ୍ଏଫ୍’ ଅଧିକାରୀମାନେ ୮୦ କିଲୋମିଟର୍ ଅଭ୍ୟନ୍ତର ପର୍ଯ୍ୟନ୍ତ ଗିରଫ, ତଲାସ ଏବଂ ଜବତ ଆଦି କରୁଥିବା ବେଳେ ତାହାକୁ ଏବେ ୫୦ କିଲୋମିଟରକୁ ଅଞ୍ଚଳ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏଭଳି କ୍ଷେତ୍ରରେ ପୂର୍ବରୁ ମେଘାଳୟ, ନାଗାଲାଣ୍ଡ୍, ମିଜୋରାମ୍, ତ୍ରିପୁରା ଏବଂ ମଣିପୁର ଭଳି ୫ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ପାଇଁ ନିର୍ଦ୍ଦିଷ୍ଟ ପରିସୀମା ଧାର୍ଯ୍ୟ କରାଯାଇ ନ ଥିଲା।
ସମୟକୁ ଚାହିଁ, ସୀମା ସୁରକ୍ଷା ବଳର ଆଭିଯାନିକ ପରିସର ପରିବର୍ତ୍ତନ କରିବା ପାଇଁ ‘ବର୍ଡର୍ ସିକ୍ୟୁରିଟି ଫୋର୍ସ ଆକ୍ଟ୍୧୯୬୮’ର ଧାରା ୧୩୯ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିଛି।
ସେହି ଅନୁସାରେ, ଗତ ସୋମବାର ଦିନ ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ସରକାର ‘ବିଏସ୍ଏଫ୍’ ପାଇଁ ନିର୍ଦ୍ଧାରିତ ଥିବା ଅଞ୍ଚଳ ପରିସୀମା ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତିତ ପରିସୀମା ମଧ୍ୟରେ ‘ବିଏସ୍ଏଫ୍’ ଅଧିକାରୀମାନେ ମଣିପୁର, ମିଜୋରାମ, ନାଗାଲାଣ୍ଡ୍, ତ୍ରିପୁରା ଓ ମେଘାଳୟ ଏବଂ ଜମ୍ମୁ ଓ କଶ୍ମୀର ଓ ଲଦାଖ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ‘ପାସ୍ପୋର୍ଟ ଆକ୍ଟ୍’, ‘ଏନ୍ଡିପିଏସ୍ ଆକ୍ଟ୍’, ‘କଷ୍ଟମ୍ସ୍ ଆକ୍ଟ୍’ ତଥା ‘କ୍ରିମିନାଲ୍ ପ୍ରୋସିଜ୍ୟୁର୍ କୋଡ୍’ଦ୍ୱାରା ତଲାସ, ଜବତ ଓ ଗିରଫ କରିପାରିବେ।