ନୂଆଦିଲ୍ଲୀ: ପାକିସ୍ତାନ ନିମନ୍ତେ ଗୁପ୍ତଚର ସାଜିଥିବା ବର୍ଡର୍ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ବିଏସ୍ଏଫ୍ର ୨୯ ବାଟାଲିୟାନ୍ର ଜଣେ ଡେପୁଟି କମାଣ୍ଡର୍ ପାହ୍ୟାର ଅଧିକାରୀଙ୍କ ଅଭିଯୋଗ ଆଧାରରେ ଫିରୋଜପୁରରେ ମାମଲା ରୁଜୁ କରାଯାଇଛି।
ଅଧିକାରୀଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଶେଖ୍ ରିୟାଜୁଦ୍ଦିନ୍ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ‘ଆଇଏସ୍ଆଇ’ର ଜଣେ କର୍ମଚାରୀଙ୍କୁ ସେ ଗୋପନ ତଥ୍ୟ ସେୟାର୍ କରୁଥିଲେ।
ମମ୍ଦୋତ୍ ଥାନାର ଷ୍ଟେସନ୍ ହାଉସ୍ ଅଫିସର ଇନ୍ସ୍ପେକ୍ଟର୍ ରଞ୍ଜିତ ସିଂହ କହିଛନ୍ତି ଯେ ଅଭିଯୁକ୍ତ ଯବାନ ପାକିସ୍ତାନୀ ଚରଙ୍କୁ ବିଏସ୍ଏଫ୍ ଗୋପନ ଏବଂ କ୍ଲାସିଫାଏଡ୍ ସୂଚନା ସେୟାର୍ କରିଛନ୍ତି।
କଣ୍ଟାଦିଆ ତାରବାଡ଼, ସୀମାନ୍ତ ରାସ୍ତାର ଫୁଟେଜ୍ ଏବଂ ବିଏସ୍ଏଫ୍ ୟୁନିଟ୍ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଆଦି ସେ ସେୟାର୍ କରିଥିବା ସୂଚନାରେ ଅନ୍ତର୍ଭୁକ୍ତ।
ଅଭିଯୁକ୍ତଙ୍କ ଠାରୁ ପୁଲିସ ଦୁଇଟି ମୋବାଇଲ୍ ଫୋନ୍ ଏବଂ ସାତଟି ସିମ୍ କାର୍ଡ ଉଦ୍ଧାର କରିଛି। ଏବେ ସେମାନେ ସିମ୍ କାର୍ଡର ପୂର୍ଣ୍ଣ ବିବରଣୀ ଏବଂ ସେଗୁଡ଼ିକର ମାଲିକ କିଏ ଜାଣିବାକୁ ଉଦ୍ୟମ କରୁଛନ୍ତି।
ଅଭିଯୁକ୍ତ ବିଏସ୍ଏଫ୍ରେ ଜଣେ ଅପରେଟର୍ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଘର ମହାରାଷ୍ଟ୍ର ଅନ୍ତର୍ଗତ ଲାଟୁର ଅଞ୍ଚଳରେ।
କ୍ଲାସିଫାଏଡ୍ ଇନ୍ଫର୍ମେସନ୍ ସେୟାର୍ କରିବାକୁ ଶେଖ୍ ରିୟାଜୁଦ୍ଦିନ୍ ଫେସ୍ବୁକ୍ ମେସେଞ୍ଜର୍ ଏବଂ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ ବୋଲି ପୁଲିସ କହିଛି। ଖୁବ୍ ଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବ।