ପାକ୍ ସେନାର ବର୍ବରତା: ଜମ୍ମୁର ଅନ୍ତରାଷ୍ଟ୍ରୀୟ ସୀମାରେ ଭାରତୀୟ ଯବାନଙ୍କ ଗଳା କାଟି ହତ୍ୟା

ଜମ୍ମୁ: ଜମ୍ମୁ ନିକଟସ୍ଥ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀ ସେନା ଆକ୍ରମଣରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ବୁଧବାର ଜାଣିବାକୁ ମିଳିଛି। ଜମ୍ମୁର ଅନ୍ତରାଷ୍ଟ୍ରୀୟ  ସୀମା(ଆଇବି)ଠାରେ ଭାରତୀୟ ଯବାନଙ୍କ ଗଳା କାଟି ମଙ୍ଗଳବାର ହତ୍ୟା କରାଯାଇଛି। ଏପରି କ୍ରୁର ଓ ଅଭୂତପୂର୍ବ ଘଟଣା ପରେ ସୁରକ୍ଷା ବଳ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି କରାଯାଇଛି।

ଏହି ଘଟଣାକୁ ନେଇ ସୀମା ସୁରକ୍ଷା ବଳ ପକ୍ଷରୁ ନିଜର ପ୍ରତିପକ୍ଷ ପାକିସ୍ତାନୀ ରେଞ୍ଜରଙ୍କ ନିକଟରେ ଏକ ଅଭିଯୋଗ ଦର୍ଜ ହୋଇଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସହିଦ ହୋଇଥିବା ହେଡ୍ କନ୍‌ଷ୍ଟେବଲ୍‌ ନରେନ୍ଦ୍ର କୁମାରଙ୍କ ମୃତଦେହରେ ୩ଟି ଗୁଳି ବାଜିଥିବାର ବି ଦେଖିବାକୁ ମିଳିଛି।

ଏ ନେଇ ସୁରକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁହଯାଇଛି କି ଏଭଳି ଭାବେ ଅନ୍ତରାଷ୍ଟ୍ରୀୟ ସୀମାରେ କ୍ରୁରତା ପଦର୍ଶନ ପ୍ରଥମ ଥର ପାଇଁ ହୋଇଛି। ଏପରି ଏକ ଅଘଟଣକୁ ସରକାର ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବହୁ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣା ସଂପର୍କରେ ସୈନ୍ୟ ସଂଚାଳନ ମହାନିର୍ଦ୍ଦେଶକ(ଡିଜିଏମ୍‌ଓ) ନିଜର ପ୍ରତିପକ୍ଷ ପାକିସ୍ତାନୀଙ୍କ ସମ୍ମୁଖରେ ଅଭିଯୋଗ ଆଣିବେ ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସୋମବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରଣମ କହିଥିଲେ କି ‘ପାକିସ୍ତାନୀ ସୈନିକଙ୍କର ମୁଣ୍ଡ କାଟି ଦିଆଯାଉଛି। ମାତ୍ର ତାହାକୁ ପ୍ରଦର୍ଶିତ କରାଯାଉ ନାହିଁ।’ ଏକ ଟେଲିଭିଜନ ସାକ୍ଷାତ୍‌କାରରେ ସୀତାରମଣ ଏପରି ମନ୍ତବ୍ୟ ରଖିବା ପରେ ଏହି ଅଘଟଣ ଘଟିବା ଏବେ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର