ନୂଆଦିଲ୍ଲୀ: ପାକିସ୍ତାନ ସେନା ବୁଧବାର ବିନା ଉତ୍ତେଜନାରେ ଜମ୍ମୁ-କଶ୍ମୀରର ଅଖନୁର ଅଞ୍ଚଳରେ ଥିବା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିବର୍ଷା କରିଛି। ପାକିସ୍ତାନର ଏଭଳି ଅଚାନକ ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନ ଆହତ ହୋଇଛନ୍ତି। ଅଖନୁର ଅଞ୍ଚଳରେ ରାତି ପ୍ରାୟ ୨ଟା ୩୫ ମିନିଟ୍‌ରେ ସୀମା ସେପଟୁ  ଗୁଳିମାଡ଼  ଆରମ୍ଭ ହୋଇଥିଲା ଏବଂ ଏହାର କଡ଼ା ଜବାବ ଦେଇଥିଲା ବିଏସ୍‌ଏଫ୍‌। ପାକ୍ ଗୁଳିମାଡ଼ରେ ଜଣେ ବିଏସ୍‌ଏଫ୍ ଯବାନ ଆହତ ହୋଇଛନ୍ତି ବୋଲି ସୀମା ସୁରକ୍ଷା ବଳର ଜଣେ ମୁଖପାତ୍ର କହିଛନ୍ତି।

Advertisment

ପାକିସ୍ତାନର ଏଭଳି ପଦକ୍ଷେପ ଉତ୍ତେଜନା ବଢ଼ାଇଛି ଏବଂ ସେନା  ଆଲର୍ଟରେ ରହିଛି। ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।। ଫେବ୍ରୁଆରି ୨୫, ୨୦୨୧ରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ନବୀକରଣ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଅତ୍ୟନ୍ତ ବିରଳ। ଗତବର୍ଷ ରାମଗଡ଼ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ।  ସେପ୍ଟେମ୍ବର ୧୮ରେ ହେବାକୁ ଥିବା ତିନି ପର୍ଯ୍ୟାୟ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ସଦ୍ୟତମ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ଅଚାନକ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପଛରେ ଷଡ଼୍‌ଯନ୍ତ୍ର ଆଶଙ୍କା କରାଯାଉଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରିବାକୁ  ପାକ୍‌ ସେନା ପୂର୍ବରୁ ମଧ୍ୟ ଏଭଳି ରଣନୀତି ଅବଲମ୍ବନ କରିବା ନଜିର ରହିଛି।