କୋଲକାତା: ଘରକୁ ଫେରିଲେ ଯବାନ । ନିଜ ମାଆ କୋଳକୁ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ । ପାକିସ୍ତାନରୁ ଫେରିବା ପରେ ଗତକାଲି ସେ ପଶ୍ଚିମବଙ୍ଗ ସ୍ଥିତ ତାଙ୍କ ଘରକୁ ଯାଇ ନିଜ ପରିବାରକୁ ଭେଟିଛନ୍ତି । ତେବେ ପରିବାରକୁ ଭେଟିବା ପରେ ଯବାନ କହିଛନ୍ତି-

Advertisment

ମୁଁ ବହୁତ ଖୁସି ଅଛି । ବାପାମାଆଙ୍କ ପାଇଁ ମତେ ବହୁତ ଚିନ୍ତା ଲାଗିଲା, ତେଣୁ ମୁଁ ଘରକୁ ପଳେଇ ଆସିଲି । ଏବେ ସମସ୍ତଙ୍କୁ ଦେଖିଲା ପରେ ମୁଁ ଖୁସି ଅଛି ।

ତେବେ ଗତ ମେ ୧୪ ତାରିଖରେ ଭାରତକୁ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଫେରାଇଥିଲା ପାକିସ୍ତାନ । ସେ ପଞ୍ଜାବରେ ମୁତୟନ ଥିବା ବେଳେ ଭୁଲ ବଶତ ପାକିସ୍ତାନ ସୀମାକୁ ପଳାଇଯିବା ପରେ ପାକିସ୍ତାନ ରେଞ୍ଜର ଦ୍ବାରା ଏପ୍ରିଲ ୨୩ରେ ଅଟକ ଥିଲେ । ପହଲଗାମ୍ ଆକ୍ରମଣ ପର ଦିନ ତାଙ୍କୁ ପାକିସ୍ତାନ ସୀମାରୁ ଅଟକ ରଖାଯାଇଥିଲା ।

ଯବାନ ପାକିସ୍ତାନ କବଳରୁ ୨୦ ଦିନ ପରେ ମୁକୁଳି ସ୍ବଦେଶ ଫେରିବା ପରେ କେମିତି କଟିଥିଲା ପାକିସ୍ତାନରେ ଦିନରାତି ? କେତେ କଷ୍ଟ ଥିଲା ୨୦ଦିନ ଧରି ପାକିସ୍ତାନ କବଜାରେ ରହିବା ? ସେନେଇ ଅଙ୍ଗେନିଭା କଥା ବଖାଣିଥିଲେ... ପାକିସ୍ତାନରେ ପୂର୍ଣ୍ଣମଙ୍କୁ ନିର୍ୟାତନା ଦିଆଯାଇଥିଲା । ଯାହାର ଲୋମଟାଙ୍କୁରା କାହାଣୀ କହିଥିଲେ ସେ । ତାଙ୍କ ଆଖିରେ ପଟି ବାନ୍ଧି ରଖାଯାଇଥିଲା । ତାଙ୍କୁ ଶୋଇବାକୁ ଦିଆଯାଉନଥିଲା । ସୀମାରେ ମୁତୟନ ଭାରତୀୟ ସେନା ବାବଦରେ ତଥ୍ୟ ବାରମ୍ବାର ମଗାଯାଉଥିଲା । ତାଙ୍କୁ ଗୁପ୍ତ ଜାଗାରେ ରଖାଯାଇଥିଲା । ବାରମ୍ବାର ସ୍ଥାନ ବଦଳାଯାଉଥିଲା । ବାରମ୍ବାର ମାନସିକ ନିର୍ୟାତନା ଦିଆଯାଉଥିଲା । ଖାଇବାକୁ ଦିଆଯାଉଥିଲେ ହେଲେ ଦାନ୍ତଘଷିବାକୁ ଦିଆଯାଉନଥିଲା ବୋଲି ଭାରତ ଫେରି କହିଥିଲେ ଯବାନ ।