ନୂଆଦିଲ୍ଲୀ: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନଙ୍କୁ ପାକିସ୍ତାନ ଭାରତୀୟ କର୍ତ୍ତୃପକ୍ଷଙ୍କ ହାତରେ ହସ୍ତାନ୍ତର କରିଛି। ସେ ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଗିରଫ ହେବା ପରେ ପାକିସ୍ତାନୀ ହେପାଜତରେ ୨୧ ଦିନ ଧରି ଯନ୍ତ୍ରଣାଦାୟକ ଭାବରେ ବିତାଇଥିଲେ।

Advertisment

ନିଜ ଦେଶକୁ ଫେରିବା ପରେ ସେ ଦୁଃଖକଷ୍ଟର କଥାକୁ ଗୋଟି ଗୋଟି କରି କହିଛନ୍ତି। ତାଙ୍କ କହିବାନୁସାରେ ପାକିସ୍ତାନ ତାଙ୍କ ଆ‌ଖିରେ କଳା ପଟି ବାନ୍ଧି ତାଙ୍କୁ ରଖୁଥିଲା। ସେ ଶୋଇ ବି ପାରୁନଥିଲେ। ଖାଲି ସେତିକି ନୁହେଁ, ପାକିସ୍ତାନ ତାଙ୍କୁ ଅନେକ ବାକ୍‌ ନିର୍ଯାତନା ବି ଦେଉଥିଲା। 

ସୂତ୍ର ଅନୁଯାୟୀ ବିଏସ୍‌ଏଫ୍‌ ଯବାନ ପୂର୍ଣ୍ଣମ କୁମାର ସ’ଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଆଖିରେ ପଟି ବାନ୍ଧି ରଖିଥିଲେ। ତାଙ୍କୁ ନିଦରୁ ବଞ୍ଚିତ କରିଥିଲେ ଏବଂ ଅନେକ ଗାଳି ବି ଦେଉଥିଲେ।

ଶାରୀରିକ ନିର୍ଯାତନା ଦିଆଯାଇ ନଥିଲେ ମଧ୍ୟ ସୀମାରେ ବିଏସଏଫ ନିୟୋଜନ ବିଷୟରେ ତାଙ୍କୁ ପଚରାଯାଇଥିଲା। ତେବେ ଦୁଃଖର କଥା ହେଉଛି ତାଙ୍କୁ ଦାନ୍ତ ଘଷିବାକୁ ମଧ୍ୟ ଅନୁମତି ଦିଆ ଯାଇ ନଥିଲା।

୨୩ ଏପ୍ରିଲରେ ଫିରୋଜପୁର ସେକ୍ଟରରେ ଡ୍ୟୁଟି ସମୟରେ ଭୁଲବଶତଃ ପାକିସ୍ତାନ ଅଞ୍ଚଳ ପାର ହୋଇଯାଇଥିବାରୁ ବିଏସଏଫ ଯବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲେ।

ବନ୍ଦୀତ୍ୱ ସମୟରେ ୨୪ତମ ବିଏସଏଫ ବାଟାଲିୟନର ଜବାନ ସ'ଙ୍କୁ ପାକିସ୍ତାନର ତିନୋଟି ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା। ସେହି ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ଏକ ଏୟାରବେସ୍ ନିକଟରେ ଥିଲା ଯେଉଁଠାରେ ସେ ବିମାନର ଶବ୍ଦ ଶୁଣିପାରୁଥିଲେ।

ଏହି ଗତିବିଧି ସମୟରେ ଯବାନଙ୍କୁ ପ୍ରାୟତଃ ଆଖିରେ ପଟି ବାନ୍ଧି ରଖାଯାଉଥିଲା। ଗୋଟିଏ ସ୍ଥାନରେ ତାଙ୍କୁ ଏକ ଜେଲ କୋଠରୀରେ ରଖାଯାଇଥିଲା।