ତାଲିବାନ୍‌ରେ ଯୋଗ ଦେବା ପାଇଁ ଭାରତ ବାଟେ ଆଫଗାନିସ୍ତାନ ଯିବେ ଉଗ୍ରବାଦୀ: ସତର୍କ କଲା ବାଂଲାଦେଶ, ‘ବିଏସ୍‌ଏଫ୍‌’ ସଜାଗ

କୋଲ୍‌କାତା: ଆଫଗାନିସ୍ତାନ‌ରେ ତାଲିବାନ୍‌ମାନଙ୍କ ସହ ଯୋଗ ଦେବା ଲାଗି କେତେକ ଉଗ୍ରବାଦୀ ବାଂଲାଦେଶୀ ଯୁବକ ଗୁପ୍ତରେ ଭାରତ ବାଟେ ଯିବାକୁ ଉଦ୍ୟମ କରୁଥିବା କଥା ଢାକା ପୁଲିସ କମିସନର୍‌ ଘୋଷଣା କରିବା ପରେ ଭାରତ-ବାଂଲାଦେଶ ସୀମାନ୍ତରେ ଥିବା ‘ବିଏସ୍‌ଏଫ୍‌’ ଯବାନମାନେ ସତର୍କ ହୋଇ ଉଠିଛନ୍ତି।

ଢାକାର ପୁଲିସ କମିସନର୍‌ ଶଫିକୁଲ୍‌ ଇସ୍‌ଲାମ୍‌ କହିଛନ୍ତି, କ‌ୌଣସି ପ୍ରକାରେ ଏହି ଯୁବକମାନେ ଆଫଗାନିସ୍ତାନରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ସୂଚନା ମିଳି ନ ଥିବାରୁ ସେମାନଙ୍କର ପ୍ରକୃତ ସଂଖ୍ୟା ଆମ୍ଭେ ଜାଣିନାହୁଁ।

ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଏସ୍‌ଏଫ୍‌ ସାଉଥ୍‌ ବେଙ୍ଗଲ୍‌ ଫ୍ରଣ୍ଟିୟର୍‌’ର ‘ଡିଆଇଜି’ ଏସ୍‌ଏସ୍‌ ଗୁଲେରିଆ କହିଛନ୍ତି, ଆମ୍ଭ ସେନା ସତର୍କ ରହିଛି। ତାଲିବାନ୍‌ରେ ଯୋଗ ଦେବା ଲାଗି କୌଣସି ଯୁବକ ଗୁପ୍ତରେ ଭାରତ ପ୍ରବେଶ କରିଥିବା କାରଣଣୁ ଆମେ କାହାରିକୁ ଗିରଫ କରିନାହୁଁ।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିଥିବାରୁ ଦେଶରେ ଥିବା ଅଳ୍ପ କେତେକ ଉଗ୍ରପନ୍ଥୀ ଅତିଶୟ ଚଳଚଞ୍ଚଳ ହୋଇପଡ଼ିଥିବା କଥା ବାଂଲାଦେଶ ତା’ର ଭାରତୀୟ ପ୍ରତିପକ୍ଷଙ୍କୁ ସୂଚନା ଦେଇ ସାରିଛି।

ବାଂଲାଦେଶୀ ଯୁବକମାନେ ସେମାନଙ୍କ ସହ ଯୋଗ ଦିଅନ୍ତୁ ବୋଲି ତାଲିବାନ ମଧ୍ୟ କୁଆଡ଼େ ବାଂଲାଦେଶୀ ଯୁବବର୍ଗଙ୍କୁ କହିଛନ୍ତି। ଆଫଗାନିସ୍ତାନର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରହିଥିବା କଥା ବାଂଲାଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର