ପାକ୍ ସ୍ମଗଲରଙ୍କ ସହ ବିଏସଏଫର ଗୁଳି ବିନିମୟ; ଜଣେ ଯବାନ ଆହତ, ବିପୁଳ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ

ଅମୃତସର: ଶୁକ୍ରବାର  ହେରୋଇନ୍ ଓ ଅସ୍ତ୍ରଶସ୍ତ୍ର ଚାଲାଣ କରିବାକୁ ଆସିଥିବା ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ସହ ବିଏସଏଫ୍(ବର୍ଡର ସିକ୍ୟୁରିଟି ଫୋର୍ସ୍)ର ଗୁଳି ବିନିମୟ ହୋଇଥିଲା । ଏହି ଲଢେଇରେ ବିଏସଏଫର ଜଣେ ସୈନିକ ଆହତ ହୋଇଛନ୍ତି। ପାକିସ୍ତାନୀ ଚୋରା ଚାଲାଣକାରୀମାନେ ଅସ୍ତ୍ରଶସ୍ତ୍ର ଓ ହେରୋଇନ୍ ଛାଡି ଫେରାର ହୋଇ ଯାଇଛନ୍ତି। ଲଢେଇ ପରେ ବିଏସଏଫ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲା।

ତଲାସୀ ସମୟରେ ବିଏସଏଫ୍ ୪୭ ପକେଟ୍ ହେରୋଇନ୍, ୪ଟି ଏକେ ୪୭ ବନ୍ଧୁକ, ୭ ପାକେଟ୍ ଅଫିମ, ଏକ ଚୀନ୍ ତିଆରି ପିସ୍ତଲ ଓ ଦୁଇଟି ମାଗାଜିନ୍,  ୯ ଏମଏମର ଇଟାଲୀୟ ପିସ୍ତଲ ସମେତ ବହୁ ପରିମାଣରେ ଗୁଳିଗୋଳା ଜବତ କରିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଏସଏଫ୍ ଓ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଶୁକ୍ରବାର ପାଖାପାଖି ୫ଟାରେ ଗୁଳିବିନିମୟ ହୋଇଥିଲା। ବିଏସଏଫର ଯବାନ ହେଡ୍ କନେଷ୍ଟବଳ ଜ୍ଞାନ ସିଂହ ଗୁରୁଦାସପୁରର ଚନ୍ଦୁ ବଡାଲାସ୍ଥିତ ଗ୍ରାମର ଚେକ୍ ପୋଷ୍ଟ ନିକଟରେ କଣ୍ଟାଯୁକ୍ତ ତାର ପାଖରେ କିଛି ହଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେ ଗୁଳି ଚଳାଇବା ପରେ ପାକିସ୍ତାନୀ ଚୋରା ଚାଲାଣକାରୀମାନେ ମଧ୍ୟ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ହେଡ୍ କନେଷ୍ଟବଳ ଆହତ ହୋଇଛନ୍ତି। ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ଓ ଚୋରା ଚାଲାଣକାରୀଙ୍କୁ କଡା ଜବାବ ଦେଇଥିଲେ। ଦୁଇଆଡୁ ଗୁଳି ବର୍ଷଣ କିଛି ସମୟ ଜାରି ରହିବା ପରେ ଚୋରା ଚାଲାଣକାରୀମାନେ ଛତ୍ରଭଙ୍ଗ ଦେଇ ପଳେଇ ଯାଇଥିଲେ। ଅନ୍ୟ ପକ୍ଷରେ ଜ୍ଞାନ ସିଂହଙ୍କୁ ସଙ୍ଗେ ସଙ୍ଗେ ପାଖରେ ଥିବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଅମୃତସରର ଗୁରୁ ନାନକ ଦେବ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି।

ଅଧିକ କୁହୁଡି ହେବାରୁ ଏହାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଭାରତ ମାଟିରେ ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବିଏସଏଫ୍ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଥିଲା। ୧୫ ଫୁଟ୍ ଲମ୍ବର ପ୍ଲାଷ୍ଟିକ୍ ପାଇପ୍ ମଧ୍ୟ ଜବତ କରାଯାଇଛି। ଏହି ପାଇପ୍ ଦ୍ଵାରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଭାରତକୁ ଚାଲାଣ କରାଯାଉଥିଲା।

ସମ୍ବନ୍ଧିତ ଖବର