ସାଧାରଣତନ୍ତ୍ର ଦିବସରେ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ଦେଇ ଅଭିନନ୍ଦନ ଜଣାଇବାକୁ ମନାକଲା ବିଏସ୍‌ଏଫ୍‌

ଅଟାରୀ : ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ଅନୁଯାୟୀ ଭାରତୀୟ ବିଏସ୍‌ଏଫ୍‌ ଯବାନ ପାକିସ୍ଥାନୀ ରେଞ୍ଜରଙ୍କୁ ମିଠା ଦେଇଥାନ୍ତି । କିନ୍ତୁ ଶୁକ୍ରବାର ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ବିଏସ୍‌ଏଫ୍‌ ଯବାନ ପାକିସ୍ଥାନୀ ରେଞ୍ଜରଙ୍କୁ ମିଠା ଏବଂ ଅଭିନନ୍ଦନ ନ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ହେବ ଜମ୍ମୁ-କଶ୍ମୀରର ଏଲ୍‌ଓସି ଏବଂ ଅନ୍ତଃରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀ ରେଞ୍ଜରର ଅସ୍ତ୍ରବିରତି ଉଲ୍ଲଂଘନ ପ୍ରତିବାଦରେ ବିଏସ୍‌ଏଫ୍‌ ଏପରି କରିଥିବା ଜଣା ପଡ଼ିଛି ।

ପ୍ରକାଶ ଯେ, ବିଭିନ୍ନ ସମୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଦ୍ୱାରା ଅନେକ ଭାରତୀୟ ଯବାନ ଏବଂ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି । କିଛି ମାସ ହେବ ବାରମ୍ବାର ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ଦ୍ୱାରା ଏଲ୍‌ଓସି ଏବଂ ଅନ୍ତଃରାଷ୍ଟ୍ରୀୟ ସୀମାରେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ସାଧାରଣତନ୍ତ୍ର ଦିବସରେ ମିଠା ଦେଇ ଅଭିନନ୍ଦନ ଆମେ ଜଣାଇ ପାରିବୁ ନାହିଁ ଏବଂ ଏହି ବିଷୟରେ ଗୁରୁବାର ପାକିସ୍ତାନୀ ରେଞ୍ଜର୍ସଙ୍କୁ ଜଣାଇ ଦିଆଯାଇଥିଲା ବୋଲି ବିଏସ୍‌ଏଫ୍‌ ଯବାନ କହିଛନ୍ତି ।

rediff.com

ବହୁ ବର୍ଷ ଧରି ବିଭିନ୍ନ ପର୍ବ ଯେମିତିକି ଇଦ୍‌, ଦୀପାବଳି, ସାଧାରଣତନ୍ତ୍ର ଦିବସ ଏବଂ ଦୁଇ ଦେଶର ସ୍ୱାଧୀନତା ଦିବସରେ ଭାରତ ଏବଂ ପାକିସ୍ତାନର ସୀମା ରକ୍ଷକମାନେ ପରସ୍ପରକୁ ମିଠା ଦେବା ସହ ଅଭିନନ୍ଦନ ଜଣାଇଥାନ୍ତି । କିନ୍ତୁ ୩-୪ ବର୍ଷ ହେବ ସୀମା ରକ୍ଷକମାନେ କିଛି ପର୍ବରେ ଏହି ପ୍ରଥାକୁ ବନ୍ଦ କରି ସାରିଛନ୍ତି । ଏହି ପ୍ରଥାକୁ ଅମ୍ରିତସରଠାରୁ ୩୦କି.ମି ଦୂର ଅଟାରୀ-ଓ୍ଵାଘା ଜଏଣ୍ଟ ଚେକ୍‌ପୋଷ୍ଟରେ ପାଳନ କରାଯାଇଥାଏ ।

ସମ୍ବନ୍ଧିତ ଖବର