ଚଣ୍ଡୀଗଡ଼: ପାକିସ୍ତାନରୁ ଆସି ପଞ୍ଜାବର ପଠାନକୋଟରେ ଭାସୁଥିବା ଡଙ୍ଗାକୁ ଆଜି ଅପରାହ୍ନରେ ଜବତ କରିଛି ସୀମା ରୁରକ୍ଷା ବାହିନୀ (ବିଏସ୍‌ଏଫ୍‌)। ଏହି ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାଟିକୁ (ବୁଧବାର, ଅକ୍ଟୋବର ୨୭ ତାରିଖ ଅପରାହ୍ନ ସମୟରେ) ପଞ୍ଜାବର ପଠାନକୋଟ ଜିଲ୍ଲାର ତରନା ନାଲ୍ଲାରେ ଭାସୁଥିବା ଦେଖିବାକୁ ମିଳିଥିଲା।

Advertisment

ଜଳ ସ୍ରୋତରେ ପାକିସ୍ତାନରୁ ଆସି ଭାରତୀୟ ସୀମା ମଧ୍ୟରେ ଭାସୁଥିବା ଏହି ଡଙ୍ଗାକୁ ସୀମା ସୁରକ୍ଷା ବାହିନୀର ଆଉଟପୋଷ୍ଟ କର୍ମଚାରୀମାନେ ଜବତ କରିଥିଲେ। ଏହା ଆନ୍ତର୍ଜାତୀୟ ସୀମା ଭିତରେ ପ୍ରାୟ ୪୫ ମିଟର ଦୂରରେ ମିଳିଥିଲା। ତେବେ, ଡଙ୍ଗାଟି ଖାଲି ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ଜମ୍ମୁରେ ଥିବା ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣର ଏକ ମାସରୁ କମ୍‌ ସମୟ ପରେ ପଠାନକୋଟରେ ସୁରକ୍ଷା କର୍ମୀମାନେ ଏକ ସନ୍ଦେହଜନକ ବେଲୁନ୍‌ ପାଇଥିଲେ। ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଅଭାବର ସମ୍ମୁଖୀନ ହେଉଥିବାରୁ ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ନଗଦ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ପୁଲିସ ଏକ ଅସ୍ତ୍ରଶସ୍ତ୍ର ଭରା ହୋଇ ଆସିଥିବା ଏକ ଡ୍ରୋନ୍‌କୁ ଉଦ୍ଧାର କରିଥିଲା ଯାହାକୁ ଜମ୍ମୁର ଫାଲିଆନ ମଣ୍ଡଳ ଅଞ୍ଚଳରେ ଡ୍ରୋନ ଦ୍ୱାରା ଖସାଇ ଦିଆଯାଇଥିଲା। ୟୁଏଭି ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ନଗଦ ଟଙ୍କା ପାଇବା ଅଭିଯୋଗରେ ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଅନେକ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ସୀମାପାର ଆତଙ୍କବାଦ ଉପରେ ରୋକ ଲଗାଇବା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ମଧ୍ୟ ବିଭିନ୍ନ ସ୍ଥାନରେ ନିୟମିତ ଚଢାଉ କରୁଛି। ଏହା ପୂର୍ବରୁ ଅକ୍ଟୋବର ୬ରେ ପଞ୍ଜାବର ପଠାନକୋଟ ଜିଲ୍ଲାର ବାମିଆଲ ସେକ୍ଟରର ଜୟତପୁର ପୋଷ୍ଟ ନିକଟରେ ଏକ ଡ୍ରୋନ ଦେଖିବାକୁ ମିଳିଥିଲା।