ପାକିସ୍ତାନପଟୁ ଆସିଥିବା ଚୀନ ନିର୍ମିତ ଡ୍ରୋନକୁ ଖସାଇଲା ବିଏସଏଫ୍

ଅମୃତସର : ପାକିସ୍ତାନପଟୁ ଆସିଥିବା ଏକ ମେଡ-ଇନ-ଚାଇନା ଡ୍ରୋନକୁ  ଅମୃତସରରେ ଥିବା ସୀମାନ୍ତବର୍ତ୍ତୀ ଗାଁ ଧାନୋଇ କଲାନଠାରେ ଗୁଳି କରି ଖସାଇଦେଇଛି ସୀମା ସୁରକ୍ଷା ବଳ ବା ବିଏସଏଫ । କେଉଁ କାରଣ ପାଇଁ ଡ୍ରୋନଟି ଆସିଥିଲା ସେ ନେଇ ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ ଗତ ରାତି ୧ ଘଣ୍ଟା ୧୫ ମିନିଟ ସମୟରେ ସୀମାରେ ପ୍ରହରା ଦେଉଥିବା ବିଏସଏଫ ଯବାନମାନେ ଆକାସରୁ ଆସୁଥିବା ଏକ ଶବ୍ଦ ଶୁଣିବାକୁ ପାଇଥିଲେ । ଉପରକୁ ଦେଖିବା ପରେ ଏକ ଡ୍ରୋନ (କ୍ବାଡକପ୍ଟର) ଉଡୁଥିବା ସେମାନେ ଦେଖିବାକୁ ପାଇଥିଲେ । ଏହି ଡ୍ରୋନ ସଂଦିଗ୍ଧ ଅବସ୍ଥାରୁ ଉଡୁଥିବାରୁ ତାହାକୁ ତୁରନ୍ତ ଗୁଳିକରି ଖସାଇଦିଆଯାଇଥିଲା । ଡ୍ରୋନଟି ଖସିପଡ଼ିବା ପରେ ଏକ ତଲାସୀ ଅଭିଯାନ ଚଳାଇ  ଡ୍ରୋନକୁ ଠାବ କରାଯାଇଥିଲା ଓ ସ୍ଥାନୀୟ ପୁଲିସ ଓ ଅନ୍ୟ ଏଜେନ୍ସିମାନକୁ ଖବର ଦିଆଯାଇଥିଲା । ଯାଞ୍ଚରୁ ଉକ୍ତ ଡ୍ରୋନଟି ଏକ ଚୀନ ନିର୍ମିତ ଡିଜେଆଇ ମାଟ୍ରିସ-୩୦୦ ଡ୍ରୋନ ବୋଲି ଜଣାପଡିଛି ।

ତେବେ ଏହି ଡ୍ରୋନ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିଲା ଅଥବା ଚୋରାବ୍ୟବସାୟୀମାନେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ ସେ ନେଇ ସ୍ଥାନୀୟ ପୁଲିସ ଓ ବିଏସଏଫ ତଦନ୍ତ ଚଳାଇଛନ୍ତି । ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ସୀମା ଏପଟକୁ ପଠାଯାଉଛି । ସେଗୁଡ଼ିକ ଆତଙ୍କବାଦୀମାନଙ୍କ ନିକଟକୁ ପଠାଯାଉଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର