ପଞ୍ଜାବ ସୀମାନ୍ତରେ କ୍ରମାଗତ ଭାବେ ତୃତୀୟ ଦିନରେ ତୃତୀୟ ଥର ପାଇଁ ଠାବ ହେଲା ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର (ପଞ୍ଜାବ): ଆଜି ପୁଣି ଏକ ପାକିସ୍ତାନୀ ଡ୍ରୋନ୍‌କୁ ଦେଖିବା ପାଇଁ ମିଳିଛି ପଞ୍ଜାବ ଫିରୋଜପୁର ନକଟସ୍ଥ ଭାରତ- ପାକ୍‌ ସୀମାନ୍ତରେ। ତେବେ, ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନ୍‌ଟିକୁ ଆକାଶରୁ ଖସାଇ ଦେବା ପୂର୍ବରୁ ଡ୍ରୋନ୍‌ଟି ପାକିସ୍ତାନୀ ସୀମା ଭିତରକୁ ଫେରି ଯାଇଥିଲା। ଆଜି କ୍ରମାଗତ ଭାବେ ତୃତୀୟ ଦିନରେ ତୃତୀୟ ଥର ପାଇଁ ପାକିସ୍ତାନୀ ଡ୍ରୋନ୍‌ଟି ପଞ୍ଜାବ ସୀମାନ୍ତରେ ଉଡ଼ିବା ଘଟଣା ବିଏସ୍‌ଏଫ୍‌ ପାଇଁ ଚିନ୍ତାର କାରଣ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପାକିସ୍ତାନୀ ଡ୍ରୋନ୍‌ଟି ଗତକାଲି ସନ୍ଧ୍ୟାରୁ ଭାରତ- ପାକ୍‌ ସୀମାନ୍ତ ଡେଇଁ ପଞ୍ଜାବର ଫିରୋଜପୁର ଜିଲ୍ଲା ମଧ୍ୟକୁ ପ୍ରବେଶ କରିବା ପାଇଁ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏଥିରେ ସଫଳତା ପାଇ ନଥିଲା। ତେବେ, ଆଜି ପ୍ରତ୍ୟୁଷରୁ ଡ୍ରୋନ୍‌ଟି ପୁନର୍ବାର ଆକାଶରେ ଦେଖା ଦେଇଥିଲା। ତେବେ, ବିଏସ୍‌ଏଫ୍‌ ଯବାନମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଡ୍ରୋନ୍‌ଟି ପୁଣିଥରେ ଅନ୍ତର୍ଧାନ ହୋଇ ଯାଇଥିଲା।

News Nation

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବାପରେ ଏବେ ପଞ୍ଜାବରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀଙ୍କୁ ହାତ କରି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି। ଏହି ଉଦ୍ଦେଶ୍ୟରେ ପଞ୍ଜାବରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀଙ୍କ ନିକଟକୁ ପାକିସ୍ତାନ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ନଗଦ ଅର୍ଥ ପଠାଉଛି। ପୂର୍ବରୁ ଦୁଇଟି ପାକିସ୍ତାନୀ ଡ୍ରୋନ୍‌କୁ ପଞ୍ଜାବ ପୁଲିସ୍‌ ଜବତ କଲାପରେ ପାକିସ୍ତାନର ଏହି ଚାଲ ସଂପର୍କରେ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର