ମୁହଁତୋଡ଼ ଜବାବ ଦେଲା ‘ଅର୍ଜୁନ’
୩ଦିନ ଧରି ଚାଲିଥିଲା, ୭ ରେଞ୍ଜର୍ସ ନିପାତ ଓ ୫ ପୋଷ୍ଟ ଧ୍ୱଂସ
ନୂଆଦିଲ୍ଲୀ : ସୀମାରେ ପାକ୍ ରେଞ୍ଜର୍ସଙ୍କ ମୁହଁତୋଡ଼ ଜବାବ ଦେଇଛି ବିଏସ୍ଏଫ୍। ଭାରତୀୟ ଯବାନଙ୍କ ଘାତକ ଆକ୍ରମଣରେ ୭ଜଣ ରେଞ୍ଜର୍ସ ନିହତ ହେବାସହ ୫ ଆଗୁଆ ପୋଷ୍ଟ ଧ୍ୱଂସ ପାଇବା ପରେ ସେନା ସହ ବୁଝାମଣା କରିବାକୁ ପାକ୍ ରେଞ୍ଜର୍ସ ବାଧ୍ୟ ହୋଇଥିବା ଜଣାପଡ଼ିଛି। ସପ୍ତାହ ତଳର ଏହି ଘଟଣା ଆଜି ଲୋକଲୋଚନକୁ ଆସିଛି।
ଗତ ଅଗଷ୍ଟରୁ ସେପ୍ଟେମ୍ବର ୧୮ ମଧ୍ୟରେ ପାକ୍ ରେଞ୍ଜର୍ସଙ୍କ ପକ୍ଷରୁ ଭାରତୀୟ ଯବାନଙ୍କ ଉପରେ ସ୍ନିପର ଆକ୍ରମଣ ହୋଇଆସିଥିଲା। ସୀମାରେ ଯବାନମାନେ ପହରା ଦେଉଥିବାବେଳେ ସ୍ନିପର ରାଇଫଲରୁ ସେମାନଙ୍କୁ ଗୁଳିମାଡ଼ କରାଯାଉଥିଲା। ଫଳରେ ଏହି ସମୟ ମଧ୍ୟରେ ଭାରତର ୫ଜଣ ଯବାନ ସହିଦ ହୋଇଥିଲେ। ବିଏସ୍ଏଫ୍ ଯବାନଙ୍କ ସବୁପ୍ରକାର ସତର୍କତା ସତ୍ତ୍ୱେ ଏହି ଅଘଟଣ ଘଟୁଥିବାରୁ ଏହା ଯବାନମାନଙ୍କୁ ଅସ୍ତବ୍ୟସ୍ତ କରିଥିଲା। କେଉଁଠୁ ଓ କିପରି ଏହି ଗୁଳିମାଡ଼ କରାଯାଉଛି ସେନେଇ ଜାଣିବାକୁ ସାମରିକ ଗୁଇନ୍ଦାମାନଙ୍କୁ ନିୟୋଜିତ କରିଥିଲା ସେନା। ତେବେ ଗୁଇନ୍ଦା ରିପୋର୍ଟ ସେନାକୁ ହତଚକିତ କରିଥିଲା।
ଏହି ରିପୋର୍ଟ ଅନୁଯାୟୀ ସୀମାର ପାକିସ୍ତାନ ପାର୍ଶ୍ୱ ଅଞ୍ଚଳରେ ପାକ୍ ସେନା ଓ ଆଇଏସ୍ଆଇର କିଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ସରକାର ଜମି ଯୋଗାଇଛନ୍ତି। ସେମାନେ ସେଠାରେ ଫାର୍ମ ହାଉସ କରିଛନ୍ତି। ଉପରକୁ ଏହା ଫାର୍ମ ହାଉସ ହୋଇଥିଲେ ମଧ୍ୟ ବାସ୍ତବରେ ସେଗୁଡ଼ିକ ଥିଲା ଗୁଇନ୍ଦା କେନ୍ଦ୍ର। ସେଠାରୁ ଭାରତୀୟ ଯବାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯାଉଥିଲା। କେଉଁ ସମୟରେ ପହରା ଦେଉଥିବା ଯବାନଙ୍କୁ ପରିବର୍ତ୍ତନ କରାଯାଉଛି, ସୀମାରେ ଭାରତ କିଭଳି ଅସ୍ତ୍ରଶସ୍ତ୍ର ମୁତୟନ କରିଛି ସେନେଇ ସେଠାରୁ ପାକ୍ ସେନାକୁ ରୀତିମତ ଖବର ପଠାଯାଉଥିଲା। ଏପରିକି ପାକ୍ ରେଞ୍ଜର୍ସ ବାହିନୀର ଦୂର ଲକ୍ଷ୍ୟଭେଦୀ ଯବାନମାନେ ସେଠାରେ ରହି ଭାରତୀୟ ଯବାନଙ୍କୁ ସୁବିଧା ଦେଖି ଗୁଳି କରୁଥିଲେ।
ଏହାପରେ ବିଏସ୍ଏଫ୍ ଗତ ସେପ୍ଟେମ୍ବର ୨୦ରେ ଆରମ୍ଭ କରିଥିଲା ପାଲଟା ଅଭିଯାନ। ଏହି ଫାର୍ମ ହାଉସଗୁଡ଼ିକ ସମେତ ସୀମାରେ ଥିବା ଆଗୁଆ ପାକ୍ ସେନା ପୋଷ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହି ଅଭିଯାନର କୋଡ୍ ନାମଥିଲା ‘ଅପରେସନ ଅର୍ଜୁନ’। ସେନାର ଘାତକ ଆକ୍ରମଣରେ ପାକିସ୍ତାନର ୭ ରେଞ୍ଜର୍ସ ଓ ୧୧ ବେସାମରିକ ବ୍ୟକ୍ତି ନିହତ ହୋଇଥିଲେ। ସୀମା ନିକଟରେ ଥିବା ପାକିସ୍ତାନର ବହୁ ଆଗୁଆ ପୋଷ୍ଟକୁ ଉଡ଼ାଇ ଦିଆଯାଇଥିଲା। ପାକ୍ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଫାର୍ମ ହାଉସଗୁଡ଼ିକ ଧ୍ୱସ୍ତ ବିଧ୍ୱସ୍ତହୋଇଥିଲା। ଫଳରେ ପାକିସ୍ତାନର ପଞ୍ଜାବସ୍ଥିତ ରେଞ୍ଜର୍ସ ବାହିନୀର ଡିଜି ମେଜର ଜେନେରାଲ ଅଜଗର ନାଭେଦ ହୟାତ ଖାନ୍ ବିଏସ୍ଏଫ୍ ଡିଜି କେକେ ଶର୍ମାଙ୍କୁ ଗତ ସେପ୍ଟେମ୍ବର ୨୩ ଓ ୨୫ରେ ଦୁଇଥର ଫୋନ୍କରି ଗୁଳିମାଡ଼ ବନ୍ଦ କରିବାକୁ ଅନୁରୋଧ କରିଥିଲେ ବୋଲି ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ ଇଣ୍ଡିଆ’ ପ୍ରକାଶ କରିଛି।