ସୀମାରେ ବିଏସ୍‌ ଏଫ୍‌ର ‘ଅପରେସନ ଅର୍ଜୁନ’:୩ଦିନ ଧରି ଚାଲିଥିଲା

୭ ରେଞ୍ଜର୍ସଙ୍କୁ ନିପାତ କରିଥିଲା ସେନା

ନୂଆଦିଲ୍ଲୀ : ଭାରତ-ପାକ୍‌ ସୀମାରେ ଗତ ଅଗଷ୍ଟ-ସେପ୍ଟେମ୍ବର ୧୮ ମଧ୍ୟରେ ପାକ୍‌ ରେଞ୍ଜର୍ସଙ୍କ ପକ୍ଷରୁ ଭାରତୀୟ ଯବାନଙ୍କ ଉପରେ ଘାତକ ଆକ୍ରମଣ ହୋଇଆସିଥିଲା। ସୀମାରେ ଯବାନମାନେ ପହରା ଦେଉଥିବାବେଳେ ସ୍ନିପର ରାଇଫଲରୁ ସେମାନଙ୍କୁ ଗୁଳିମାଡ଼ କରାଯାଉଥିଲା। ଫଳରେ ଏହି ସମୟ ମଧ୍ୟରେ ଭାରତର ୫ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ବିଏସ୍‌ଏଫ୍‌ ଗତ ସେପ୍ଟେମ୍ବର ୨୦ରେ ଆରମ୍ଭ କରିଥିଲା ‘ଅପରେସନ ଅର୍ଜୁନ’। ଏଥିରେ ପାକିସ୍ତାନର ୭ ରେଞ୍ଜର୍ସ ଓ ୧୧ ଗ୍ରାମବାସୀ ନିହତ ହୋଇଥିଲେ। ଭାରତୀୟ ସେନାର ଏହି ଅଭିଯାନରେ ସୀମା ନିକଟରେ ଥିବା ପାକିସ୍ତାନର ବହୁ ଆଗୁଆ ପୋଷ୍ଟ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା। ଫଳରେ ପାକିସ୍ତାନର ପଞ୍ଜାବସ୍ଥିତ ରେଞ୍ଜର୍ସ ଡିଜି ମେଜର ଜେନେରାଲ ଅଜଗର ନାଭେଦ ହୟାତ ଖାନ୍‌ ବିଏସ୍‌ଏଫ୍‌ ଡିଜି କେକେ ଶର୍ମାଙ୍କୁ ଗତ ସେପ୍ଟେମ୍ବର ୨୨ ଓ ୨୫ରେ ଦୁଇଥର ଫୋନ୍‌କରି ଗୁଳିମାଡ଼ ବନ୍ଦ କରିବାକୁ ଅନୁରୋଧ କରିଥିଲେ ବୋଲି ଜାତୀୟ ଗଣମାଧ୍ୟମ ‘ଟାଇମ୍‌ସ ଅଫ ଇଣ୍ଡିଆ’ ପ୍ରକାଶ କରିଛି।
ଏହି ସୂତ୍ରରୁ ପ୍ରକାଶ, ସୀମାରେ ଭାରତୀୟ ସେନାର ଗତିବିଧି ଅନୁଧ୍ୟାନ କରିବାକୁ ପାକିସ୍ତାନ ପାର୍ଶ୍ୱ ଅଞ୍ଚଳରେ ପାକ୍‌ ସେନା ଓ ଆଇଏସ୍‌ଆଇର କିଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରାଯାଇଛି। ସେମାନେ ସେଠାରେ ଫାର୍ମ ହାଉସ କରିଛନ୍ତି। ପାକ୍‌ ରେଞ୍ଜର୍ସ ବାହିନୀର ଦୂର ଲକ୍ଷ୍ୟଭେଦୀ ଯବାନମାନେ ସେଠାରେ ରହି ଭାରତୀୟ ଯବାନଙ୍କୁ ସୁବିଧା ଦେଖି ଗୁଳି କରୁଥିଲେ। ଏସଂକ୍ରାନ୍ତରେ ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ସେନା ପକ୍ଷରୁ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାର କୋଡ଼୍‍ ନାମଥିଲା ‘ଅପରେସନ ଅର୍ଜୁନ’। ସେନା ଆକ୍ରମଣରେ ଏହି ଫାର୍ମ ହାଉସଗୁଡ଼ିକ ସହ ପାକ୍‌ ଯବାନଙ୍କ ବହୁ ଆଗୁଆ ଘାଟି ଧ୍ୱଂସ ପାଇଥିଲା।

ସମ୍ବନ୍ଧିତ ଖବର