ଭାଙ୍ଗିଗଲା ଏସପି-ବିଏସପି ମହାଗଠବନ୍ଧନ, ବିଧାନସଭା ଉପନିର୍ବାଚନରେ ଏକାକୀ ଲଢିବ ବିଏସପି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଓ ମାୟାବତୀଙ୍କ ବହୁଜନସମାଜ ପାର୍ଟି (ବିଏସପି) ପରସ୍ପରଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି । ଏହାସହିତ ସାଧାରଣ ନିର୍ବାଚନରେ ବିଜେପିକୁ ହରେଇବା ପାଇଁ ଗଠିତ ମହାଗଠବନ୍ଧନ ଭାଙ୍ଗିଯାଇଛି ।
ଆଜି ସାମ୍ବାଦିକମାନଙ୍କୁ ବିଏସପି ନେତ୍ରୀ ମାୟାବତୀ କହିଛନ୍ତି ଯେ ଏସପି ଓ ବିଏସପି ମଧ୍ୟରେ ହୋଇଥିବା ମେଣ୍ଟ ଆଶାନୁରୂପ ଫଳ ଦେଖାଇବାରେ ସକ୍ଷମ ହେଲା ନାହିଁ । ଏସପି ଯାଦବ ଭୋଟ ବିଏସପିକୁ ପଠାଇବାରେ ସକ୍ଷମ ହେଲା ନାହିଁ । ଏଣୁ ଆଗକୁ ଏକାକୀ ନିର୍ବାଚନ ଲଢିବାକୁ ବିଏସପି ନିଷ୍ପତ୍ତି ନେଇଛି । ଆଗକୁ ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଥିବାରୁ ସେଥିପାଇଁ ପ୍ରାର୍ଥୀ ବାଛିବାକୁ ସେ ନିଜ ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ବିଏସପି ମୋଟ ୩୮ଟି ଆସନରେ ଲଢି ୧୦ଟି ଆସନରେ ବିଜୟୀ ହୋଇଛି । ସେହିପରି ଏସପି ୩୭ଟି ଆସନରେ ଲଢି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି ।

ସମ୍ବନ୍ଧିତ ଖବର