ଲକ୍ଷ୍ନୌ: ଆଜି ‘ବହୁଜନ ସମାଜ ପାର୍ଟି’ର (ବିଏସ୍ପି) ମୁଖ୍ୟା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି।
ଆଜି ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ସେ ଉପରୋକ୍ତ ଘୋଷଣା କରିଛନ୍ତି। ଆକାଶ ଆନନ୍ଦ ଉତ୍ତରାଧିକାରୀସୂତ୍ରରେ ‘ବିଏସ୍ପି’ର ଅଧ୍ୟକ୍ଷ ହେବେ ବୋଲି ଜଣାପଡୁଥିଲା। କାରଣ, ଗତବର୍ଷରୁ ତାଙ୍କୁ ଦଳୀୟ ବ୍ୟାପାର ଦାୟିତ୍ବ ଦିଆଯାଇଥିଲା। ସେ ହେଉଛନ୍ତି, ମାୟାବତୀଙ୍କ ସବା ସାନଭାଇ ଆନନ୍ଦ କୁମାରଙ୍କ ପୁଅ। ‘ବିଏସ୍ପି’ରେ ‘ବେହେନ୍ଜୀ’ (ମାୟାବତୀ) ପରେ ଆନନ୍ଦ କୁମାର ହିଁ ଦ୍ବିତୀୟ ମୁଖ୍ୟ ଭାବେ ପରିଗଣିତ ହେଉଥିଲେ।
/sambad/media/post_attachments/wp-content/uploads/2023/12/mb1.jpg)
ବଂଶାନୁକ୍ରମିକ ରାଜନୀତିକୁ ତୀବ୍ର ସମାଲୋଚନା କରୁଥିବା ମାୟାବତୀ ୨୦୧୯ରେ ଆକାଶ ଆନନ୍ଦଙ୍କୁ ରାଜନୀତିକୁ ଆଣିଥିଲେ। ‘ବିଏସ୍ପି’ରେ ଯୋଗ ଦେଇଥିବା ଆକାଶ ଆନନ୍ଦ ୨୦୧୯ ଲୋକସଭା ନିର୍ବାଚନ ଲାଗି ଦଳର ଅନ୍ୟତମ ‘ଷ୍ଟାର୍ କ୍ୟାମ୍ପେନର୍’ ତାଲିକାଭୁକ୍ତ ହେବା ସହିତ ଦଳର ସଂଯୋଜକ ବି ହୋଇଥିଲେ।
୨୮ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିବା ଆକାଶ ଆନନ୍ଦ ‘ବିଏସ୍ପି’ର ଶୀର୍ଷସ୍ତରୀୟ ନେତାଙ୍କ ମେଳରେ ମାୟବତୀଙ୍କ ପାଖେ ପାଖେ ରହିଥିବାର ଅନେକ ଫଟୋରେ ଦେଖିବାକୁ ମିଳୁଥିଲା।
ଏହାପୂର୍ବରୁ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଆକାଶ ଆନନ୍ଦ ‘ବିଏସ୍ପି’ର ଏକାଧିକ କାର୍ଯ୍ୟକ୍ରମରେ ପିଉସୀ ମାୟାବତୀଙ୍କ ସହିତ ଯୋଗ ଦେଇଥିଲେ।