କମଳନାଥଙ୍କୁ ବିଏସପି ବିଧାୟକଙ୍କ ଧମକ, ମନ୍ତ୍ରୀପଦ ଦିଅ ନଚେତ୍‌ କର୍ଣ୍ଣାଟକ ଭଳି ସ୍ଥିତି ହେବ

ଭୋପାଳ: ମଧ୍ୟପ୍ରଦେଶରେ କର୍ଣ୍ଣାଟକ ଭଳି ସ୍ଥିତି ଉପୁଜିପାରେ। ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଆଜି ଜଣେ ବିଏସ୍‌ପି ବିଧାୟକ ରମ୍ବାଇ ସିଂହ ଧମକ ଦେଇ କହିଛନ୍ତି ଯେ ଯଦି ତାଙ୍କୁ ମନ୍ତ୍ରୀ ନକରାଯାଏ ତେବେ ମଧ୍ୟପ୍ରଦେଶରେ କର୍ଣ୍ଣାଟକ ଭଳି ସ୍ଥିତି ଉପୁଜିବ। କମଳନାଥ ସରକାରରେ ଦୁଇଜଣ ବିଧାୟକଙ୍କ ପାଇଁ ସେ ମନ୍ତ୍ରୀପଦ ଦାବି କରିଛନ୍ତି। ଯଦି ମନ୍ତ୍ରୀପଦ ନମିଳେ ତେବେ ସେ ବିଜେପିରେ ‌ଯୋଗ ଦେବେ ବୋଲି ଧମକ ଦେଇଛନ୍ତି। ଭୋପାଳଠାରୁ ୨୫୪ କିମି ଦୂର ଦାମୋହ ଜିଲ୍ଲାର ପଥରିଆ ନିର୍ବାଚନ ମଣ୍ଡଳୀରେ ଆଜି ବିଧାୟକ ରମ୍ବାଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏଭଳି ଦାବି କରିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ସେ କଂଗ୍ରେସକୁ ଏଭଳି ଧମକ ଦେଇଛନ୍ତି। ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନରେ କଂଗ୍ରେସର ୧୧୪ ବିଧାୟକ ଅଛନ୍ତି। କଂଗ୍ରେସକୁ ୪ ଜଣ ସ୍ବାଧୀନ ବିଧାୟକ ୨ ଜଣ ବିଏସ୍‌ପି ଏବଂ ଜଣେ ସପା ବିଧାୟକ ସମର୍ଥନ ‌ଦେଇଛନ୍ତି। ପୂର୍ବରୁ ମଧ୍ୟ ରମ୍ବାଇ ସିଂହ କହିଥିଲେ ଯେ ଯଦି ମୁଖ୍ୟମନ୍ତ୍ରୀ କମଳନାଥ ତାଙ୍କ ପ୍ରତିଶ୍ରୁତି ଭୁଲିଯାଆନ୍ତି ତେବେ ‌ସେ ମଧ୍ୟ ତାଙ୍କ ପ୍ରତିଶ୍ରୁତି ଭୁଲିଯିବେ।

ସମ୍ବନ୍ଧିତ ଖବର