ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। ଏହା ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି)ର ରାଜ୍ୟ ଶାଖା ଏକ ବଡ ଘୋଷଣା କରିଛି । ଯେଉଁ ଦଳ ମନ୍ତ୍ରୀପଦ ଦେବାକୁ ରାଜି ହେବ ତାକୁ ସମର୍ଥନ କରାଯିବ ବୋଲି ବିଏସପି କହିଛି ।

Advertisment

ଗୋଟିଏ ପଟେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ନ ମିଳିଲେ ସ୍ୱାଧୀନ ଓ ବିଦ୍ରୋହୀଙ୍କ ଦ୍ୱାର ଟକ୍କର ଦେଉଥିବା ବେଳେ ବିଏସପିର ସଦ୍ୟତମ ଘୋଷଣା ସେମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ହୋଇପାରେ। ବିଏସପିର ରାଜସ୍ଥାନ ୟୁନିଟ୍ ସଭାପତି ଭଗବାନ ସିଂହ ବାବା ଏକ ବିବୃତ୍ତିରେ କହିଛନ୍ତି ଯେ ଦଳ ରାଜ୍ୟରେ ପୂର୍ଣ୍ଣ ଶକ୍ତି ସହିତ ନିର୍ବାଚନ ଲଢ଼ିଛି ଏବଂ ଏଥର ୬ରୁ ଅଧିକ ପ୍ରାର୍ଥୀ ଜିତିବ।

ଭଗବାନ ସିଂହ ଅଭିଯୋଗ କରିଛନ୍ତି ଯେ ୨୦୦୮ ଓ ୨୦୧୮ ନିର୍ବାଚନ ପରେ କଂଗ୍ରେସ ବିଏସପିସହ ବିଶ୍ୱାସଘାତକତା କରିଛି। ଆମ ବିଧାୟକମାନଙ୍କୁ କିଣିନିଆଯାଇଥିଲା । ଏଥର ଆମେ କାହାକୁ ନିଃସର୍ତ୍ତ ସମର୍ଥନ ଦେବୁ ନାହିଁ ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ସ୍ପଷ୍ଟ କରିଦେଇଛନ୍ତି। ଯଦି ବିଜୟୀ ପ୍ରାର୍ଥୀଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଏ ତେବେ ହିଁ ସେମାନେ କୌଣସି ଦଳକୁ ସମର୍ଥନ କରିବେ।

ସୂଚନାଯୋଗ୍ୟ ଯେ, ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିବ। ତେବେ ବିଜେପି ଟିକିଏ ଆଗୁଆ ରହିପାରେ ।