ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ଗଠବନ୍ଧନ ନ କରି ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ମାୟାବତୀ ଘୋଷଣା କରିଛନ୍ତି ଯେ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳ କୌଣସି ଦଳ ସହ ମେଣ୍ଟ କରିବ ନାହିଁ।

Advertisment

ଏହା ସହ ମାୟାବତୀ କହିଛନ୍ତି ଯେ ଯଦି ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟିର ସରକାର ଗଠନ ହୁଏ, ତା’ହେଲେ ତାଙ୍କ ସରକାର ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ କୋଭିଡ ଟିକା ଦେବେ।

ନିଜ ଜନ୍ମଦିନ ଅବସରରେ ଲଖନଉରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଛନ୍ତି ଯେ 'ଆମ ଦଳ କରୋନା ଭୂତାଣୁ ବିରୁଦ୍ଧରେ ସରକାର ଆରମ୍ଭ କରିଥିବା ଟୀକାକରଣ ଅଭିଯାନକୁ ସ୍ୱାଗତ କରୁଛି ଏବଂ ଏହି ଟିକାକୁ ଦେଶର ସମସ୍ତ ଲୋକଙ୍କୁ ମାଗଣାରେ ଯୋଗାଇବାକୁ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଅନୁରୋଧ କରୁଛି। ଏହା ବ୍ୟତୀତ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ​​ଉତ୍ତରପ୍ରଦେଶରେ ବିଏସପି ସରକାର ଗଠନ ହେଲେ ସମସ୍ତଙ୍କୁ ରାଜ୍ୟରେ ମାଗଣା ଟିକା ଦିଆଯିବ। '