କର୍ଣ୍ଣାଟକରେ ବିଜେପି ସରକାର, ଶପଥ ନେଲେ ୟେଦ୍ୟୁରାପ୍ପା

ବାଙ୍ଗାଲୁରୁ : ବିଜେପି ନେତା ବିଏସ ୟେଦ୍ୟୁରାପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି କେବଳ ୟେଦ୍ୟୁରାପ୍ପା ଶପଥ ନେଇଛନ୍ତି, ଆସ୍ଥାଭୋଟ ପରେ ଅନ୍ୟମନ୍ତ୍ରୀମାନଙ୍କୁ ଶପଥପାଠ କରାଯିବ ବୋଲି ଜଣାଯାଇଛି ।
ବ୍ୟକ୍ତିଗତଭାବେ ୪ର୍ଥ ଥର ପାଇଁ ୟେଦ୍ୟୁରାପ୍ପା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ୩ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କୌଣସି ଥର ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରିନାହାନ୍ତି ।

୨୦୦୭ରେ ସେ ମାତ୍ର ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜେଡିଏସ ସମର୍ଥନରେ ସେ ଏକ ମିଳିତ ସରକାର ଚଳାଉଥିଲେ ମଧ୍ୟ ତାହା ଏକ ସପ୍ତାହରୁ ଅଧିକ ସମୟ ତିଷ୍ଠି ପାରିନଥିଲା । ସେହିପରି ୨୦୦୮ରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଖଣି ଦୁର୍ନିତି ଅଭିଯୋଗ କାରଣରୁ ୨୦୧୨ରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଗତ ବର୍ଷ ବିଧାନସଭା ନିର୍ବାଚନ ପରେ ବିଜେପି ୧୦୫ ସିଟ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ ସରକାର ମାତ୍ର ୪୮ ଘଣ୍ଟା ତିଷ୍ଠିପାରିଥିଲା । ଏଥର ସେ ୭୬ ବର୍ଷ ବୟସରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥର ସେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରୁଛନ୍ତି କି ନା ତାହା ସମୟ କହିବ ।

ସମ୍ବନ୍ଧିତ ଖବର