ଲଣ୍ଡନ୍‌: ଶନିବାର ଦିନ ବକିଙ୍ଗ୍‌ହାମ୍‌ ପ୍ରାସାଦ ‘ୱିନ୍‌ସର୍‌ ରୟାଲ୍‌ ଚାପେଲ୍‌’ରେ ଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ କବର ଫଟୋ ପ୍ରକାଶ କରିଛି। ଏଥିରେ ଦେଖାଯାଉଥିବା ଫଳକରେ ରାଣୀଙ୍କ ନାଁ, ତାଙ୍କ ପିତାମାତାଙ୍କ ନାଁ ଓ ସ୍ବାମୀ ଯୁବରାଜ ଫିଲିପ୍‌ଙ୍କ ନାଁ ଖୋଦେଇ କରାଯାଇଛି।

Advertisment

କଳା ବେଲ୍‌ଜିୟମ୍‌ ମର୍ମର ପଥରରେ ନିର୍ମିତ ଏହି ଫଳକଟିକୁ ରାଜା ଷଷ୍ଠ ଜର୍ଜ ସ୍ମାରକୀ ଚାପେଲ୍‌ରେ ସ୍ଥାପନ କରାଯାଇଛି। ୧୯୬୨ ମସିହାରେ ତାଙ୍କ ବାପାଙ୍କ ସମାଧିସ୍ଥଳ ଭାବେ ରାଣୀ ଏଲିଜାବେଥ୍‌ ତାଲିକାଭୁକ୍ତ କରିଥିଲେ।

ୱେଷ୍ଟ୍‌ମିନ୍‌ଷ୍ଟର୍ ଆବେରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତ୍ୟେଷ୍ଟି ସମାପନ ହେବା ପରେ ରାଣୀଙ୍କୁ ସୋମବାର ଦିନ ଏଠାରେ କବର ଦିଆଯାଇଥିଲା।

publive-image Image Courtesy of Daily Express

ନୂଆ ପଥର ଫଳକର ପ୍ରଥମ ଦୁଇ ଧାଡ଼ିରେ ପିତଳ ଅକ୍ଷରରେ ଇଂରାଜୀ ଭାଷାରେ ଲେଖାଯାଇଛି: ୬ଷ୍ଠ ଜର୍ଜ୧୮୯୫-୧୯୫୨/ଏଲିଜାବେଥ୍‌ ୧୯୦୦-୨୦୦୨। ତା’ ତଳକୁ ରହିଛି ଏକ ‘ଗାର୍ଟର୍‌ ଷ୍ଟାର୍‌’। ତ’ପରେ ତଳ ଦୁଇ ଧାଡ଼ିରେ ଲେଖାଯାଇଛି: ୨ୟ ଏଲିଜାବେଥ୍‌ ୧୯୨୬-୨୦୨୨/ଫିଲିପ୍‌ ୧୯୨୧-୨୦୨୧।

ଉଲ୍ଲେଖଯୋଗ୍ୟ, ରାଣୀ ଏଲିଜାବେଥ୍‌ଙ୍କ ଭଉଣୀ ରାଜଜେମା ମାର୍ଗାରେଟ୍‌ଙ୍କୁ ମଧ୍ୟ ପଶ୍ଚିମ ଲଣ୍ଡନ୍‌ରେ ଥିବା ୱିନ୍‌ସର୍‌ କାସେଲ୍‌ରେ ଥିବା ଚାପେଲ୍‌ରେ କବର ଦିଆଯାଇଥିଲା।

୭୦ ବର୍ଷ ରାଜୁତି କରିବା ପରେ ସ୍କଟିସ୍‌ ଉଚ୍ଚଭୂମିରେ ଥିବା ଗ୍ରୀଷ୍ମକାଳୀନ ଆବାସ ‌ବାଲ୍‌ମୋରାଲ୍‌ କ୍ୟାସଲେ୍‌ରେ ସେପ୍ଟେମ୍ବର ୮ ତାରିଖ ଦିନ ରାଣୀ ଦ୍ବିତୀୟ ଏଲିଜାବେଥ୍‌ ପରଲୋକ ଗମନ କରିଥିଲେ। ତାଙ୍କର ପୁଅ ଚାର୍ଲସ୍‌ ଏବେ ଇଂଲଣ୍ଡ୍‌ର ରାଜା ହୋଇଛନ୍ତି।