ଅମୃତସର : ଭଗବାନ ବୁଦ୍ଧଙ୍କ ଏକ ପୁରାତନ ତଥା ବିରଳ ପଥର ମୂର୍ତ୍ତିକୁ ଅମୃତସରଠାରେ ସୀମା ଶୁଳ୍କ ଅଧିକାରୀମାନେ ଜବତ କରିଥିବା ଖବର ହସ୍ତଗତ ହୋଇଛି ।
ଭାରତ-ପାକିସ୍ତାନ ସୀମାରେ ଥିବା ଅଟାରୀ-ୱାଘା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ ଦେଇ ଭାରତରେ ପହଞ୍ଚିଥିବା ଜଣେ ବିଦେଶୀ ନାଗରିକଙ୍କୁ ଅଟକାଇ ତାଙ୍କ ବ୍ୟାଗେଜ୍ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚବେଳେ ଅଧିକାରୀମାନେ ବୁଦ୍ଧଙ୍କ ଉକ୍ତ ପଥର ମୂର୍ତ୍ତି ଚିହ୍ନଟ କରିଥିଲେ ବୋଲି ସୀମା ଶୁଳ୍କ କମିଶନର (ଅମୃତସର) କହିଛନ୍ତି।
ଏହି ମାମଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ଚଣ୍ଡିଗଡ଼ ସର୍କଲ କାର୍ଯ୍ୟାଳୟକୁ ପଠାଯାଇଛି ।
ସୀମା ଶୁଳ୍କ କମିଶନର (ଅମୃତସର) ରାହୁଲ ନାଙ୍ଗରେ କହିଛନ୍ତି ଯେ ଏହି ବୁଦ୍ଧମୂର୍ତ୍ତି ଗାନ୍ଧାର କଳାରେ ନିର୍ମିତ ଓ ଏହା ୨ୟ କିମ୍ବା ୩ୟ ଶତାବ୍ବୀର ବୋଲି ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ମୂର୍ତ୍ତିକୁ କଷ୍ଟମ୍ସ ଆକ୍ଟ ଓ ଆର୍ଟ ଟ୍ରେଜର ଆକ୍ଟ ୧୯୭୨ ଅନୁସାରେ ଜବତ କରାଯାଇଛି ।
ସୀମା ଶୁଳ୍କ ଅଧିକାରୀମାନେ ପୂର୍ବରୁ ମେ ୨୦୧୭ ରେ ପାକିସ୍ତାନ ପଟୁ ଟ୍ରେନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ୨୬୨ ଟି ପୁରାତନ ମୁଦ୍ରା ଉଦ୍ଧାର କରିଥିଲେ। ଏହା ପରେ ସେପ୍ଟେମ୍ବର ୨୦୧୮ ରେ ଅଟାରୀ ରେଳ ଯୋଗେ ଭାରତ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ୬୫ଟି ପୁରାତନ ମୁଦ୍ରା (ମୁଦ୍ରା) ଧରାପଡିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Capture-11.png)