ବଜେଟ ୨୦୨୦-୨୧ : ଆହତ ଅର୍ଥନୀତି ଲାଗି ନିର୍ମଳା ମଲମ !

ଗତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ଲାଗି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ପ୍ରସ୍ତୁତ ବଜେଟରେ ଉଦ୍ୟମ କରିଛନ୍ତି। ବ୍ୟକ୍ତିଗତ ଆୟକର ଢାଞ୍ଚାରେ କେତେକ ପରିବର୍ତନ ଆଣିଥିବା ବେଳେ କଂପାନିମାନଙ୍କ ଲାଭାଂଶ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହାସହିତ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ଲାଗି ରେକର୍ଡ ପରିମାଣର ଅର୍ଥ ବରାଦ ହୋଇଛି। ଚାଷୀମାନଙ୍କ ଆୟ ଦୁଇଗୁଣ ବୃଦ୍ଧି ଲାଗି ୧୬ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହାସହିତ ଅଧିକ ରାଜସ୍ବ ପାଇଁ ଦେଶର ସବୁଠାରୁ ବଡ଼ ବୀମା କଂପାନି ରାଷ୍ଟ୍ରାୟତ୍ତ ଏଲ୍‌ଆଇସି ଏବଂ ଆଇଡିବିଆଇ ବ୍ୟାଙ୍କରୁ ନିଜର ଅଂଶଧନ ବିକିବେ। ଏଥିରୁ ୯୦ ହଜାର କୋଟି ଟଙ୍କା ମିଳିବ। ତେବେ ବେକାରି ସମସ୍ୟାର ମୁକାବିଲା ଲାଗି ବଜେଟ କୌଣସି ବ୍ୟବସ୍ଥା କରାଯାଇ ନଥିବା ବେଳେ ଓଲଟି ମନରେଗା ପାଇଁ ପାଣ୍ଠିରେ କାଟ୍ କରିଛନ୍ତି। ସେହିଭଳି ସଙ୍କଟ ଦେଇ କରୁଥିବା ବ୍ୟାଙ୍କମାନଙ୍କର ସହାୟତା ଲାଗି ଏଥି‌ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ବ୍ୟକ୍ତିଗତ ଆୟକର ଢାଞ୍ଚାରେ ପରିବର୍ତ୍ତନ,  ଚାଷୀ ଆୟ ଦୁଇଗୁଣ ପାଇଁ ୧୬ ସୂତ୍ରୀ ଯୋଜନା
ବ୍ୟାଙ୍କ ଜମାରେ ବୀମା ରାଶି ପରିମାଣ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨ ଲକ୍ଷ ୮୩ ହଜାର କୋଟି ଟଙ୍କା
ପ୍ରତିରକ୍ଷା ବ୍ୟୟବରାଦରେ ନାମକୁ ମାତ୍ର ବୃଦ୍ଧି
ଖାଦ୍ୟ ସବ୍‌ସିଡି ଲାଗି ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ବରାଦ
ଶିକ୍ଷା ପାଇଁ ୯୯ ହଜାର ୩୦୦ କୋଟି, ସ୍ବାସ୍ଥ୍ୟ ପାଇଁ ଅଧିକ ୬୯ ହଜାର କୋଟି
ଦେଶର ସବୁ ଜିଲ୍ଲା ହସ୍‌ପିଟାଲରେ ଜ‌ନଔଷଧି କେନ୍ଦ୍ର
ସମସ୍ତ ଜିଲ୍ଲା ହସ୍‌ପିଟାଲରେ ପିପିପି ମୋଡ୍‌ରେ ହେବ ମେଡିକାଲ କଲେଜ
ମହିଳାଙ୍କ କଲ୍ୟାଣ ପାଇଁ ୨୮ ହଜାର ୬୦୦ କୋଟି ଟଙ୍କା
ଉଡାନ ସ୍କିମ୍‌ରେ ୧୦୦ଟି ଅଧିକ ବିମାନବନ୍ଦରର ବିକାଶ କରାଯିବ
ଏଲ୍‌ଆଇସିର ଅଂଶଧନ ବି‌କିବେ ସରକାର
ସ୍ବଚ୍ଛ ଭାରତ ପାଇଁ ୧୨ ହଜାର ୩ ଶହ କୋଟି
ବିତ୍ତୀୟ ନିଅଣ୍ଟ ହାର ୩.୫ ପ୍ରତିଶତକୁ ବୃଦ୍ଧି
ଏମ୍‌ଏସ୍‌ଏମ୍‌ଇ ଅଡିଟ୍‌ କାରବାର ସୀମା ୫କୋଟି

ଆୟକରରେ ରିହାତି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ବିତୀୟ ବଜେଟ୍‌ରେ ବ୍ୟକ୍ତିଗତ ଆୟକର ଢାଞ୍ଚାରେ କେତେକ ପରିବର୍ତ୍ତନ ଆଣିଛନ୍ତି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ବ୍ୟକ୍ତିକୁ କୌଣସି କର ଦେବାକୁ ପଡ଼ିବ ନାହିଁ। ତେବେ ୫ ଲକ୍ଷ ଠାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଲାଗି ବିଭିନ୍ନ ସ୍ଲାବ୍‌ ଓ ହାର ଧାର୍ଯ୍ୟ କରାଯାଇଛି। ବଜେଟରେ ଆୟକରଦାତାଙ୍କ ଲାଗି ଦୁଇଟି ବିକଳ୍ପ ବ୍ୟବସ୍ଥା ରଖାଯାଇଛି। ସେମାନେ ଚାହିଁଲେ ପୁରୁଣା ଢାଞ୍ଚାରେ ମଧ୍ୟ କର ଦେଇ ପାରିବେ। କିନ୍ତୁ ନୂତନ ଢାଞ୍ଚାରେ ପୁରୁଣା ରିହାତିର ସୁଯୋଗ ନେଇପାରିବେ ନାହିଁ। ସେମାନଙ୍କୁ ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ନୂଆ ବ୍ୟବସ୍ଥାକୁ ଚୟନ କରିଲେ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍‌ସନ୍‌, ପିଲାମାନଙ୍କର ସ୍କୁଲ ଫି’, ଜୀବନ ବୀମା ପ୍ରିମିୟମ ଏବଂ ପିଏଫ୍‌ ଆଦି ପାଇଁ ମିଳୁଥିବା ୭୦ ପ୍ରକାରର ରିହାତି ଆଉ ମିଳିବ ନାହିଁ।

ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦ % ହାରରେ କର ଦେବାକୁ ପଡ଼ିବ।

୭.୫ ଲକ୍ଷରୁ ୧୦ ଲକ୍ଷ ପାଇଁ ୧୫%, ୧୦ ଲକ୍ଷରୁ ୧୨.୫ ଲକ୍ଷ ପାଇଁ ୨୦%, ୧୨.୫ ଲକ୍ଷରୁ ୧୫ ଲକ୍ଷ ପାଇଁ ୨୫ % ଏବଂ ୧୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ପାଇଁ ୩୦% କର ଦେବାକୁ ପଡ଼ିବ।

ପୁରୁଣା ବ୍ୟବସ୍ଥା ଅନୁଯାୟୀ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୨୦% ହାରରେ କର ଦେବାକୁ ପଡ଼ୁଥିବା ବେଳେ ୧୦ ଲକ୍ଷରୁ ଅଧିକ ଆୟ ପାଇଁ ୩୦% କର ଦେବାକୁ ପଡ଼ୁଛି।

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ନୂଆ ଢାଞ୍ଚାରେ ବିନା କୌଣସି ରିହାତିରେ ୧ ଲକ୍ଷ ୯୫ ହଜାର ଟଙ୍କା ଟିକସ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ପୁରୁଣା ଢାଞ୍ଚାରେ ବିନା କୌଣସି ରିହାତିରେ ୨ ଲକ୍ଷ ୭୩ ହଜାର ଟଙ୍କା କର ଆକାରରେ ଦେବାକୁ ପଡ଼ିବ।

ବଜେଟ ବ୍ୟବସ୍ଥା ଅନୁଯାୟୀ ନୂଆ ଟିକସ୍‌ ଢାଞ୍ଚାରେ ଆୟକର ଦେଲେ ଆୟକର ଆଇନ୍‌ର ୮୦ସିରେ ମିଳୁଥିବା ରିହାତିକୁ ଛାଡ଼ିବାକୁ ପଡ଼ିବ। ୮୦ସିରେ ବୀମା ପ୍ରିମିୟମ୍‌, ପ୍ରୋଭିଡେଣ୍ଟ ଫଣ୍ଡ୍‌ ଏବଂ ଅନ୍ୟ କେତେକ ସେୟାରରେ ରିହାତି ମିଳୁଛି। ଏହି ଧାରାରେ ରହିଥିବା ଅନ୍ୟ ରିହାତି ହେଲା: ପେନ୍‌ସନ୍‌ ଫଣ୍ଡ (୮୦ସିସିସି), ସ୍ବାସ୍ଥ୍ୟବୀମା (୮୦ଡି), ଉଚ୍ଚଶିକ୍ଷା ପାଇଁ ଋଣ ଉପରେ ସୁଧ (୮୦ଇ), ଗୃହଋଣ ଉପରେ ସୁଧ (୮୦ଇଇ), ବିଦ୍ୟୁତ୍‌ ଚାଳିତ ଯାନ କ୍ରୟ (୮୦ଇଇବି), ଦାତବ୍ୟ ଅନୁଷ୍ଠାନକୁ ଦାନ (୮୦ଜି) ଏବଂ ଭଡ଼ା (୮୦ଜି)।

ଏହା ସହିତ ଏଲ୍‌ଟିସି, ପରିବାର ପେନସନ୍, ନାବାଳକଙ୍କ ଆୟ ଏବଂ ସାଂସଦ/ବିଧାୟକଙ୍କ କେତେକ ଭତ୍ତା ଉପରେ ମିଳୁଥିବା ଟିକସ ରିହାତି ମଧ୍ୟ ମିଳିବ ନାହିଁ।

ମହଙ୍ଗା ହେବ
ଏସି, ଫ୍ରିଜ୍‌, ୱାସିଂ ମେସିନ୍‌, ସିଗାରେଟ୍‌, ହୁକା, ତମାଖୁ, ଜୋତା, ରୋଷେଇ ଘର ସରଞ୍ଜାମ, ଖାଇବା ତେଲ, ଫର୍ନିଚର, ଚୁଇଙ୍ଗ୍‌ଗମ୍, ସେଭର୍‌, ଟେବଲ୍‌ଓୟାର, ୱାଟର ଫିଲଟର୍‌, କାଚପାତ୍ର, ଚୀନାମାଟି ସାମଗ୍ରୀ, ରତ୍ନପଥର, ‌ଟେବୁଲ୍‌ ଫ୍ୟାନ୍, ଇମର୍ସନ ହିଟର୍‌, ହେୟାର ଡ୍ରାୟର୍‌, ଇଲେକ୍‌ଟ୍ରିକ୍ ଆଇରନ୍, ଗ୍ରା‌ଇଣ୍ଡର୍‌, ଓଭେନ୍, କୁକର, କଫି ଓ ଟି’ ମେକର୍‌, ଲ୍ୟାମ୍ପ୍, ଖେଳନା, ଷ୍ଟେସନାରି ସାମଗ୍ରୀ, କୃ‌ତ୍ରିମ ଫୁଲ, ଟ୍ରଫି, ଡିସ୍‌ପ୍ଲେ ପ୍ୟାନେଲ୍‌

ଶସ୍ତା ହେବ
ନିଉଜପ୍ରିଣ୍ଟ୍‌, କ୍ରୀଡ଼ା ସାମଗ୍ରୀ, ମାଇକ୍ରୋଫୋନ୍, ଇଲେକ୍‌ଟ୍ରିକ୍ ଯାନ

ସମ୍ବନ୍ଧିତ ଖବର