ନୂଆଦିଲ୍ଲୀ: ଏଥର ବି ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ବଜେଟରେ ଗୁରୁତ୍ବ ଦିଆଯାଇନାହିଁ। ୨୦୨୦-୨୧ ବଜେଟରେ ପାଞ୍ଚଟି ପ୍ରତ୍ନତାତ୍ତ୍ବିକ କ୍ଷେତ୍ରର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହି କ୍ଷେତ୍ରମାନଙ୍କ ମଧ୍ୟରେ ଓଡ଼ିଶାର କୌଣସି ସ୍ଥାନ ନାହିଁ। ଗତ ଥର ଭଳି ଏଥର ମଧ୍ୟ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି। ଏସବୁ ସ୍ଥାନଗୁଡ଼ିକୁ ପ୍ରତିଷ୍ଠିତ ସ୍ଥଳ ବା ଆଇକନିକ୍ ସାଇଟ୍ ମାନ୍ୟତା ଦେବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି।
ଚଳିତ ବଜେଟରେ କେନ୍ଦ୍ର ସରକାର ଯେଉଁ ପାଞ୍ଚଟି ପ୍ରାଚୀନ ସାଂସ୍କୃତିକ ସ୍ଥଳର ବିକାଶ ଲାଗି ଯୋଜନା କରିଛନ୍ତି, ସେଗୁଡ଼ିକ ହେଲା ହରିୟାଣାର ରାଖିଗଡ଼ି, ଉତ୍ତରପ୍ରଦେଶର ହସ୍ତିନାପୁର, ଆସାମର ଶିବସାଗର, ଗୁଜୁରାଟର ଧୋଲାବୀରା ଏବଂ ତାମିଲନାଡ଼ୁର ଆଦିଚନଲ୍ଲୁର। ଏତଦବ୍ୟତୀତ ଗତ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା କୋଲକାତାର ଇଣ୍ଡିଆନ୍ ମ୍ୟୁଜିୟମର ଉନ୍ନୟନ କରିବାକୁ ମଧ୍ୟ କେନ୍ଦ୍ର ବଜେଟରେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଛି। କୋଲକାତାର ଐତିହାସିକ ମୁଦ୍ରା ଓ ବାଣିଜ୍ୟ ସଂଗ୍ରହାଳୟର ମଧ୍ୟ ନବୀକରଣ କରାଯିବ ବୋଲି ବଜେଟରେ ଦର୍ଶାଯାଇଛି।
ଏହାଛଡ଼ା ଝାଡ଼ଖଣ୍ଡର ରାଞ୍ଚିରେ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରିବା ଲାଗି ମଧ୍ୟ କେନ୍ଦ୍ର ସରକାର ସହଯୋଗ କରିବେ। ଏତଦବ୍ୟତୀତ ଜଳ ପରିବହନ ମନ୍ତ୍ରାଳୟ ଦ୍ବାରା ଗୁଜୁରାଟର ଅହମ୍ମଦାବାଦ୍ ନିକଟରେ ହରପ୍ପା ଯୁଗର ଏକ ନୌ ବାଣିଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେରିଟେଜ୍ ଆଣ୍ଡ କନଜରଭେସନ୍ ନାମକ ଏକ ଡିମଡ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/5-place-1_thumb-2.jpg)