ବଜେଟ୍‌ ୨୦୨୩-୨୪: ସନ୍ତୁଷ୍ଟ କରିବାକୁ ଉଦ୍ୟମ

ବଦଳିଲା ଆୟକର ଢାଞ୍ଚା, ୭ ଲକ୍ଷ ଆୟ ଯାଏ ଟିକସ ରିହାତି

ନୂଆଦିଲ୍ଲୀ : ଆସନ୍ତା ୨୦୨୪ରେ ଦେଶ ନିର୍ବାଚନ ସାମ୍ନା କରିବ। ଚଳିତବର୍ଷ ବଜେଟ୍‌କୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆଜି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ମଧ୍ୟବିତ୍ତ ଓ ବେତନଭୋଗୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍‌ରେ ବ୍ୟକ୍ତିଗତ ଆୟକର ଟିକସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ନୂଆ ଟିକସ ବ୍ୟବସ୍ଥାରେ ବର୍ଷକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଆୟକର ଟିକସ ବ୍ୟବସ୍ଥାରେ ଏହି ସୀମା ୫ ଲକ୍ଷ ଟଙ୍କା ରହିଛି। ଗତ କିଛି ବର୍ଷ ଧରି ବଜେଟ୍‌ରେ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ଫଳରେ ମଧ୍ୟବିତ୍ତ ନିରାଶ ହେଉଥିଲେ।

livemint.com

ଅର୍ଥମନ୍ତ୍ରୀ ଏହି ଅବସରରେ ଆୟକର ସ୍ଲାବ୍ ସଂଖ୍ୟାକୁ ପାଞ୍ଚକୁ ହ୍ରାସ କରିବା ସହିତ ଟିକସ ଛାଡ଼ ସୀମାକୁ ୩ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି। ସଂପ୍ରତି ବାର୍ଷିକ ୯ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୪୫ହଜାର ଟଙ୍କା ଆୟକର ଦେବାକୁ ପଡ଼ିବ। ଏହା ତାଙ୍କ ଆୟର ମାତ୍ର ୫%। ପୂର୍ବରୁ ଏଥିପାଇଁ ତାଙ୍କୁ ୬୦ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ସେହିଭଳି ବାର୍ଷିକ ୧୫ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ କେବଳ ୧.୫ଲକ୍ଷ ଟଙ୍କା ଅର୍ଥାତ୍, ତାଙ୍କ ଆୟର ୧୦% ଦେବାକୁ ହେବ। ଏ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତି ପୂର୍ବରୁ ୧ଲକ୍ଷ ୮୭ ହଜାର ୫୦୦ ଟଙ୍କା ଆୟକର ପ୍ରଦାନ କରୁଥିଲେ।

ବାର୍ଷିକ ୧୫.୬ ଲକ୍ଷ ଟଙ୍କା କିମ୍ବା ଅଧିକ ଆୟ କରୁଥିବା ପ୍ରତ୍ୟେକ ବେତନ ପ୍ରାପ୍ତ ବ୍ୟକ୍ତିଙ୍କୁ ୫୨ ହଜାର ୫୦୦ ଟଙ୍କା ଲାଭ ମିଳିବ। ଏବେ ଅର୍ଥାତ୍ ପୁରୁଣା ବ୍ୟବସ୍ଥାରେ ଜଣେ ବେତନଭୋଗୀ କର୍ମଚାରୀଙ୍କୁ ୫୦ ହଜାର ଟଙ୍କାର ମାନକ ରିହାତି ତଥା ପାରିବାରିକ ପେନସନ୍‌ରୁ ୧୫ ହଜାର ଟଙ୍କା ପର୍ଯଅୟନ୍ତ ରିହାତି ମିଳୁଛି।

ତେବେ ବଜେଟ୍‌ରେ ନୂତନ ଆୟକର ବ୍ୟବସ୍ଥାକୁ ଡିଫଲ୍‌ଟ ଟିକସ ବ୍ୟବସ୍ଥା କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଆହୁରି ସରଳ ଭାବେ କହିଲେ, ନାଗରିକମାନେ ପୁରୁଣା ଟିକସର ଲାଭ ଉଠାଇବାକୁ ବିକଳ୍ପର ବ୍ୟବହାର କରିପାରିବେ।

ତେବେ ଟିକସ ବ୍ୟବସ୍ଥାରେ ସରକାର ଆଣିଥିବା ଏଭଳି ପରିବର୍ତ୍ତନ ଯୋଗୁ ବାର୍ଷିକ ୩୫ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ନୂଆ ପ୍ରସ୍ତାବ ଦ୍ବାରା ସରକାରଙ୍କୁ ୩୮ ହଜାର କୋଟି ଟଙ୍କା ବୋଝ ପଡ଼ିବ। ପ୍ରତ୍ୟକ୍ଷ ଟିକସ ବାବଦରେ ୩୭ ହଜାର କୋଟି ‌ଏବଂ ପରୋକ୍ଷ ଟିକସ ବାବଦରେ ୧ ହଜାର କୋଟି ହରାଇବେ ସରକାର। ଏହାସତ୍ତ୍ବେ ବଜେଟରେ କେତେକ ପ୍ରସ୍ତାବ ଯୋଗୁ ସରକାର ଅଧିକ ୩ ହଜାର କୋଟି ଟଙ୍କା ସଂଗ୍ରହ କରିବେ। ତେଣୁ ସରକାରଙ୍କୁ ନିଟ୍ ୩୫ ହଜାର କୋଟି ଟଙ୍କା ବର୍ଷକୁ ହରାଇବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର