ନୂଆଦିଲ୍ଲୀ: ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ବିଭିନ୍ନ ଭିତ୍ତିଭୂମି, କୃଷି ଓ ଆୟକର ଆଦି ଉପରେ ବିଶେଷ ଧ୍ୟାନ ଦେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି।
୧. ଭାରତୀୟ ଅର୍ଥନୀତି ଠିକ୍ ଧାରାରେ ଚାଲିଛି: ବହୁ ଆହ୍ବାନର ସମ୍ମୁଖୀନ ହୋଇ ମଧ୍ୟ ଭାରତୀୟ ଅର୍ଥନୀତି ଠିକ୍ ଧାରାରେ ଉଜ୍ଜ୍ବଳ ବଭିଷ୍ୟତ ଦିଗରେ ଅଗ୍ରସର ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବ୍ୟାପକ ସଂସ୍କାର ଓ ଉତ୍ତମ ନୀତି ଯୋଗୁଁ ଅସୁବିଧା ବେଳେ ମଧ୍ୟ ଦେଶର ପ୍ରଦର୍ଶନ ଭଲ ରହିଛି। ଅଭିନବ ଉତ୍କୃଷ୍ଟ ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଟର୍, କୋଭିଡ୍ ଟିକାକରଣ ଅଭିଯାନ ଏବଂ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।
୨. ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ଖାଦ୍ୟଶସ୍ୟ: ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଆଉ ବର୍ଷେ ପାଇଁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ହେବାକୁ ଥିବା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ସରକାର ବହନ କରିବେ।
୩. ମୁଣ୍ଡପିଛା ଆୟ ଦୁଇଗଣରୁ ଅଧିକ ହୋଇଛି: ୨୦୧୪ରୁ ସରକାରଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ ନାଗରିକ ଉନ୍ନତ ମାନର ଓ ସମ୍ମାନର ସହିତ ଜୀବନଯାପନ କରୁଛନ୍ତି। ମୁଣ୍ଡପିଛା ଆୟ ୨ଗୁଣରୁ ଅଧିକ ହୋଇ ୧.୯୭ ଲକ୍ଷ ଟଙ୍କା ହୋଇପାରିଛି। ୯ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ୧୦ମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ବିଶ୍ବର ୫ମ ବୃହତ୍ ଅର୍ଥନୀତି ହୋଇପାରିଛି।
୪. ୭ଟି କଥା ଉପରେ ଗୁରତ୍ବ ପ୍ରଦାନ କରୁଛି ବଜେଟ୍: ୨୦୨୩-୨୪ ବଜେଟ୍ ୭ଟି କଥା ବା ‘ସପ୍ତର୍ଷି’ ଉପରେ ଗୁରୁତ୍ବାରୋପ କରୁଛି। ଏହା ଆମକୁ ଅମୃତ କାଳରେ ଦିଗ୍ଦର୍ଶନ ଦେବ। ସେଗୁଡ଼ିକ ମଧ୍ୟରେ ରହିଛି ସମନ୍ବିତ ବିକାଶ, ପ୍ରାକୃତିକ ସମ୍ବଳ ଯୋଗେ ଅଭିବୃଦ୍ଧି, ଯୁବ ଶକ୍ତି ଏବଂ ଅର୍ଥନୈତିକ କ୍ଷମତା। ଏହି ବଜେଟ୍ ହେବ ପ୍ରଯୁକ୍ତିବିଦ୍ୟା ଚାଳିତ ଓ ଜ୍ଞାନଭିତ୍ତିକ ଅର୍ଥନୀତି ଯାହାକୁ ‘ଜନଭାଗୀଦାରି’ଦ୍ବାରା ହାସଲ କରାଯାଇ ପାରିବ।
୫. ଏକଲବ୍ୟ ମଡେଲ୍ ସ୍କୁଲ୍ରେ ନିଯୁକ୍ତି ପାଇବେ ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ: ଜନଜାତି ଶିକ୍ଷାର୍ଥୀଙ୍କ ନିମନ୍ତେ ଦେଶରେ ଥିବା ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ୍ରେ ଆଗାମୀ ୩ ବର୍ଷ ମଧ୍ୟରେ ସରକାର ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ ନିଯୁକ୍ତ କରାଯିବ।
୬. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟୟ ବରାଦ ୭୯,୦୦୦ କୋଟିକୁ ବୃଦ୍ଧି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବ୍ୟୟ ବରାଦ ୬୬% ବା ୭୯,୦୦୦ କୋଟି ଟଙ୍କାରୁ ଅଧିକ କରାଯାଇଥିବା କଥା ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି।
୭. ‘ଆପ୍’ ପ୍ରସ୍ତୁତି ପାଇଁ ଇଂଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ଗଠନ ହେବ ୧୦୦ ଲ୍ୟାବ୍: ‘୫ଜି’ ସେବା ବ୍ୟବହାର କରି ‘ଆପ୍’ ପ୍ରସ୍ତୁତି କରିବା ନିମନ୍ତେ ଇଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ୧୦୦ଟି ନୂଆ ଲ୍ୟାବ୍ ସ୍ଥାପନ ହେବ। ନୂଆ ପ୍ରକାରର ସୁଯୋଗ, ବ୍ୟବସାୟ ମଡେଲ୍ ଏବଂ ସମ୍ଭାବ୍ୟ କର୍ମନିଯୁକ୍ତି ଆଦି ସାକାର କରିବା ପାଇଁ ଏହି ଲ୍ୟାବ୍ଗୁଡ଼ିକ କାମ କରିବ। ଏହାଛଡ଼ା, ସ୍ମାର୍ଟ କ୍ଲାସ୍, ‘ପ୍ରିସିସନ୍ ଫାର୍ମିଙ୍ଗ୍’, ‘ଇଣ୍ଟେଲିଜେଣ୍ଟ୍ ଟ୍ରାନ୍ସ୍ପୋର୍ଟ ସିଷ୍ଟମ୍’ ଏବଂ ‘ହେଲ୍ଥ୍କେୟାର୍’ କ୍ଷେତ୍ରରେ ମଧ୍ୟ ଏହି ‘ଆପ୍’ କାମ କରିବ।
୮. ୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଆୟକର ଛାଡ଼: ବାର୍ଷିକ ୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଆୟକର ଛାଡ଼ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ରିଟର୍ଣ୍ଣ ଦାଖଲ ସରଳ କରିବା ପାଇଁ ନୂଆ ‘ଆଇ-ଟି ରିଟର୍ଣ୍ଣ’ ଫର୍ମ ପ୍ରଚଳନ ହେବ । ଆୟକର ରିଟର୍ଣ୍ଣ ପ୍ରକ୍ରିୟା ସମୟ ମଧ୍ୟ ୧୬ ଦିନକୁ ହ୍ରାସ କରାଯାଇଛି।
୯. କୃଷିକ୍ଷେତ୍ରରେ ସାମଗ୍ରିକ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା: କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ସମାଧାନ ଯୋଗାଇ ଦେବା ସହିତ କୃଷିକ୍ଷେତ୍ରରେ ସାମଗ୍ରିକ ଉନ୍ନତି ନିମନ୍ତେ ଏଥର ବଜେଟ୍ରେ କେତେକ ଘୋଷଣା କରାଯାଇଛି। କୃଷି ଷ୍ଟାର୍ଟ-ଅପ୍ ପାଇଁ ‘ଏଗ୍ରିକଲ୍ଚୁରାଲ୍ ଏକ୍ସଲେଟର୍ ଫଣ୍ଡ୍’ ଗଠନ କରାଯିବ। ପ୍ରାଣୀ ପାଳନ, ଦୁଗ୍ଧଜାତ ସାମଗ୍ରୀ ଓ ମତ୍ସ୍ୟଚାଷ ଉପରେ ଧ୍ୟାନ ନିବେଶ କରାଯାଇ ‘କୃଷି କ୍ରେଡିଟ୍ ଟାର୍ଗେଟ୍’ ୨୦ ଲକ୍ଷ କୋଟିକୁ ବୃଦ୍ଧି କରାଯିବ। ମତ୍ସ୍ୟଜୀବୀ, ଓ ମତ୍ସ୍ୟ ବିକ୍ରେତା ପାଇଁ ଗୋଟାଏ ନୂଆ ଉପ-ଯୋଜନା ଜରିଆରେ ୬୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।
୧୦. ସ୍ବାସ୍ଥ୍ୟ ଶିକ୍ଷା ଓ ନର୍ସିଙ୍ଗ୍ ଦକ୍ଷତା: ୨୦୧୪ରୁ ସ୍ଥାପିତ ୧୫୭ଟି ମେଡିକାଲ୍ କଲେଜ ସଙ୍ଗରେ ୧୫୭ଟି ନର୍ସିଙ୍ଗ୍ କଲେଜ ସ୍ଥାପନ କରାଯିବ। ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜ ଶିକ୍ଷକମାନଙ୍କ ଗବେଷଣା ନିମନ୍ତେ ‘ଆଇସିଏମ୍ଆର୍’ ଲ୍ୟାବ୍ ଉପଲବ୍ଧ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/29f4dd0b-5743-4e0d-8996-b52a76b8cb52.jpg)