ନୂଆଦିଲ୍ଲୀ: ସବୁ ବର୍ଗର ଲୋକଙ୍କୁ ଖୁସି କରିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ସପ୍ତମ ବଜେଟ୍‌ରେ ପ୍ରୟାସ କରିଛନ୍ତି। ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆୟକର ରିହାତି ଘୋଷଣା କରିବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଆଗାମୀ ୫ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ଯୋଜନା ‌ପ୍ରସ୍ତୁତ କରାଯାଇଛି। ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳ ବିକାଶ ଲାଗି ୨.୬୬ ‌ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ବେଳେ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଦୀର୍ଘ କାଳୀନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୧୧.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟପଟରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ପାଇଁ ଦାବି କରୁଥିବା ଦୁଇ ସହ‌ଯୋଗୀ ଦଳ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ଶାନ୍ତ କରିବା ଲାଗି ଉଭୟ ବିହାର ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ପ୍ୟାକେଜ୍ ଦିଆଯାଇନଥିଲେ ହେଁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି।

Advertisment

ଏହାକୁ ଛାଡ଼ିଦେଲେ ବଜେଟରେ ‌ଲୋକମାନଙ୍କ ପାଇଁ ବଡ଼ ଧରଣର ସେମିତି କୌଣସି ଯୋଜନା ଘୋଷଣା କରାଯାଇ ନାହିଁ। ବଜେଟ ଆକ‌ାର ଗତବର୍ଷ ବଜେଟ ତୁଳନାରେ ଏଥର ୭.୦୪ ପ୍ରତିଶତ (ପୂର୍ବରୁ ୪୫,୦୩,୦୯୭ କୋଟି ଥିଲା। ୨୦୨୪-୨୫ରେ ବଜେଟ୍‌ ଆକାର ୪୮,୨୦,୫୧୨ କୋଟି ଛୁଇଁଲା।) ବୃଦ୍ଧି ପାଇଥିଲେ ମଧ୍ୟ ଏଥିରେ ଆଖିଦୃଶିଆ ଯୋଜନା ହୋଇନଥିବାରୁ ସାଧାରଣ ବର୍ଗ ନିରାଶ ହୋଇଛନ୍ତି। ଗତ ଲୋକସଭା ନିର୍ବାଚନ ପରେ ଆଜି ସଂସଦ‌ରେ ଉପସ୍ଥାପିତ ମୋଦୀ ସରକାରର ପ୍ରଥମ ବଜେଟ୍‌ରେ ୯ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା କୃଷି, ନିଯୁକ୍ତି, ସାମାଜିକ ନ୍ୟାୟ, ନିର୍ମାଣ ଓ ସେବା କ୍ଷେତ୍ର, ସହରାଞ୍ଚଳ ବିକାଶ, ଶକ୍ତି, ଗବେଷଣା ଓ ବିକାଶ ତଥା ଆର୍ଥିକ ସଂସ୍କାର। ଗତ ନିର୍ବାଚନରେ କ୍ଷମତାସୀନ ଦଳର ଖରାପ ପ୍ରଦର୍ଶନ ପାଇଁ ଗ୍ରାମାଞ୍ଚଳ ପ୍ରତି ଅବହେଳା ଓ ବେକାରୀ ସମସ୍ୟା ଅନ୍ୟତମ କାରଣ ହୋଇଥିବାରୁ ଏହି ଦୁଇଟି କ୍ଷେତ୍ର ଉପରେ ଏହି ବଜେଟ୍‌ରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଆଗାମୀ ୫ ବର୍ଷ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୨ଲକ୍ଷ କୋଟି ଟଙ୍କାର ବ୍ୟବୟବରାଦ କରାଯିବା ସହିତ ୪ କୋଟି ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି କୁଶଳୀ କରିବାକୁ ବ୍ୟବସ୍ଥା କରାଯିବ। ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବ‌ା ମନ୍ତ୍ରୀ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ତିନି କୋଟି ଅଧିକ ଗୃହ ନିର୍ମାଣ କରାଯିବ। ଏହା ଶୁଲଭ ମୁଲ୍ୟରେ ଉପଲବ୍ଧ ହେବ। ସେହିଭଳି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଲାଗି ୧.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସୁନା କମିଲା ~ ୩,୦୦୦

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବଜେଟ୍‌ର ତତ୍କାଳ ପ୍ରଭାବ ଦେଶର ସୁନା ଓ ରୁପା ବଜାର ଉପରେ ପଡ଼ିଛି। ଅର୍ଥମନ୍ତ୍ରୀ ସୀମା ଶୁଳ୍କ ହ୍ରାସ କରିବା ପରେ ଏଭଳି ମୂଲ୍ୟବାନ ଧାତୁ ମୂଲ୍ୟ କମିଛି। ଭୁବନେଶ୍ବର ବଜାରରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ପାଖାପାଖି ୨୫୦୦ ଟଙ୍କା ହ୍ରାସ ଘଟିଛି। ବଜେଟ୍‌ ପୂର୍ବରୁ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭୪୫୦ ଟଙ୍କା ରହିଥିଲା। କିନ୍ତୁ ବଜେଟ୍‌ ଖବର ମିଳିବା ପରେ ଏହା ୬୪,୯୫୦ ଟଙ୍କାକୁ ଖସିଆସିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ମୂଲ୍ୟ ବଜେଟ୍‌ ପୂର୍ବରୁ ୭୩୫୮୨ ଟଙ୍କା ଥିବାବେଳେ ବଜେଟ୍‌ ପରେ ଏଥିରେ ପ୍ରାୟ ୩୦୦୦ ଟଙ୍କା ହ୍ରାସ ଘଟି ୭୦୮୬୦ ଟଙ୍କାକୁ କମିଯାଇଛି। ସେହିଭଳି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ବଜେଟ୍‌ ପୂର୍ବରୁ ରୁପା ଦାମ କିଲୋଗ୍ରାମ ପିଛା ୯୬ ହଜାର ଟଙ୍କା ଥିବାବେଳେ ପରେ ଏହା ୯୨୫୦୦ ଟଙ୍କା ସ୍ତରକୁ ଖସିଆସିଛି। ତେଣୁ ଏଥିରୋ ୩୫୦୦ ଟଙ୍କା ହ୍ରାସ ଘଟିଛି। ଏହାବ୍ୟତୀତ ପ୍ଲାଟିନମ ଭଳି ମୂଲ୍ୟବାନ ଧାତୁ ମୂଲ୍ୟ କମିବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅବଶ୍ୟ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କେତେକ ସୋରୁମ୍‌ ସଂଶୋଧିତ ଦରରେ ସୁନା ଓ ରୁପା ବିକ୍ରି କରୁଥିବାବେଳେ ଅନ୍ୟ କିଛି ସୋ’ରୁମ ନୂଆ ଦର ଧାର୍ଯ୍ୟକୁ ଅପେକ୍ଷା କରିଛନ୍ତି।

publive-image

ମଧ୍ୟବିତ୍ତ ଶ୍ରେଣୀ ପାଇଁ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ କିଛି ପରିମାଣର ରିହାତି ଘୋଷଣା କରାଯାଇଛି। ଆୟକର ସ୍ଲାବ୍‌ରେ ସଂଶୋଧନ କରାଯାଇଥିବା ବେଳେ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ଆୟକରଦାତା ବାର୍ଷିକ ୧୭ ହଜାର ୫୦୦ ଟଙ୍କାର ଲାଭ ପାଇବେ। ଏହାସହିତ ମୋବାଇଲ ଫୋନ୍ ଏବଂ ସୁନା ଉପରେ ସୀମାଶୁଳ୍କକୁ ମଧ୍ୟ ହ୍ର‌ାସ କରାଯାଇଛି। ଷ୍ଟାର୍ଟଅପ୍‌ରେ ପୁଞ୍ଜି ଖଟାଉଥିବା ସବୁ ପ୍ରକାର ନିବେଶକାରୀଙ୍କ ଉପରୁ ‘ଆଞ୍ଜେଲ ଟ୍ୟାକ୍ସ’କୁ ଉଚ୍ଛେଦ କରାଯାଇଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଘରୋଇ କଂପାନିମାନଙ୍କ ପାଇଁ ଅନେକ ପ୍ରୋତ୍ସାହନ ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ଚାକିରିରେ ଯୋଗ ଦେଉଥିବା କର୍ମଚାରୀଙ୍କୁ ସରକାର ଗୋଟିଏ ମାସର ବେତନ ଦେବେ। ଏହାକୁ ତିନିଟି କିସ୍ତିରେ ସେମାନଙ୍କର ଇପିଏଫ୍‌ରେ ସରକାର ଜମା କରିବେ। ପ୍ରତି ଅତିରିକ୍ତ ନିଯୁକ୍ତି ପାଇଁ ନିଯୁକ୍ତିଦାତାଙ୍କୁ ଦୁଇ ବର୍ଷ ପାଇଁ ମାସିକ ତିନି ହଜାର ଟଙ୍କା ଇପିଏଫ୍ ଜମାରୁ ଫେରସ୍ତ କରାଯିବ। କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ ପାଇଁ ମୁଦ୍ରା ଋଣ ପରିମାଣ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୧୨ଟି ଶିଳ୍ପ ପାର୍କ ପ୍ରତିଷ୍ଠା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି।

ଶିକ୍ଷା କ୍ଷେତ୍ରକୁ ମଧ୍ୟ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। କଲେଜରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି। ଦକ୍ଷତା ବୃଦ୍ଧି ପାଇଁ ଛାଛାତ୍ରମାନଙ୍କ ଲାଗି ତାଲିମ ବ୍ୟବସ୍ଥା ମଧ୍ୟ କରିବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି। ୫୦୦ ଅଗ୍ରଣୀ କଂପାନିରେ ନିଯୁକ୍ତି ଲାଗି ଯୁବକ/ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ଆପ୍ରେଣ୍ଟିସିପ୍ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି। ତେବେ ବିଦ୍ୟୁତ୍‌ଚାଳିତ ଯାନବାହନ ଉତ୍ପାଦନକୁ ଉତ୍ସାହିତ କରିବା ଲାଗି ବଜେଟ୍‌ରେ କୌଣସି ବ୍ୟବସ୍ଥା ନାହିଁ। ସହଯୋଗୀ ଦଳ ନୀତୀଶଙ୍କ ଜେଡିୟୁକୁ ଖୁସି କରିବାକୁ ଯାଇ ଅର୍ଥ ମନ୍ତ୍ରୀ ତାଙ୍କ ବଜଟେରେ ବିହାରରେ ଭିତ୍ତିଭୂମିର ବିକାଶ ଲାଗି ୬୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟକୁ ସ୍ବତନ୍ତ୍ରପାହ୍ୟା ପ୍ରଦାନ କରିବାକୁ ନୀତୀଶ ଦାବି କରିଥିଲେ। ସେହିପରି ଅନ୍ୟତମ ସହଯୋଗୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ଶାନ୍ତ କରିବା ଲାଗି ଆନ୍ଧ୍ରକୁ ୧୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ କେନ୍ଦ୍ରରେ ସରକାର ଚଳାଇବା ଲାଗି ଏହି ଦୁଇ ଦଳର ସମର୍ଥନ ଆବଶ୍ୟକ ଥିବାରୁ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସ୍ବତନ୍ତ୍ର ରାଜ୍ୟପାହ୍ୟା ବଦଳରେ ସେହି ଦୁଇ ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଉପରେ ଅର୍ଥ ମନ୍ତ୍ରୀ ତାଙ୍କ ଭାଷଣରେ ଗୁରୁତ୍ବ ଆରୋପ କରିଛନ୍ତି। କିନ୍ତୁ ଏଥିଲାଗି କଣ ନିଦ୍ଦିଁଷ୍ଟ ଯୋଜନା ରହିଛି, ତାହା ଘୋଷଣା କରି ନାହାନ୍ତି। ଶାସକ ଦଳ ବଜେଟ୍‌ ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ବିରୋଧୀ ଦଳ ଏହାକୁ ଗରିବ ବି‌ରୋଧୀ ଏବଂ ରାଜନୈତିକ ବଜେଟ୍‌ ବୋଲି ବର୍ଣ୍ଣନା କରିଛନ୍ତି।

ମଧ୍ୟବିତ, ଗରିବ, ଚାଷୀଙ୍କୁ ସଶକ୍ତ କରିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜିର ବଜେଟ୍‌ ଦେଶର ନୂଆ ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଗାଁ ଏବଂ ଚାଷୀଙ୍କୁ ସଶକ୍ତ କରିବ। ବଜେଟ୍‌ ଯୁବବର୍ଗଙ୍କ ପାଇଁ ଅସୀମ ସୁଯୋଗ ଆଣିବ। ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଜନସଂଖ୍ୟା ଦାରିଦ୍ରୢରୁ ପରିଧିରୁ ବାହାରକୁ ଆସିଛନ୍ତି। ଏହି ବଜେଟ୍‌ ନୂଆ ମଧ୍ୟବିତ୍ତ ଶ୍ରେଣୀଙ୍କୁ ସଶକ୍ତ କରିବା ସହ ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ କହିଲେ, ଶିକ୍ଷା ଏବଂ ଦକ୍ଷତାକୁ ଚଳିତ ବଜେଟ୍‌ରୁ ନୂଆ ଆକାର ମିଳିବ। ଏହା ନୂଆ ମଧ୍ୟବିତ୍ତ ଶ୍ରେଶୀକୁ ସୁଦୃଢ଼ କରିବା ସହ ମହିଳା, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିଶେଷ ସହାୟକ ‌ହେବ। ଚଳିତ ବଜେଟ୍‌ରେ ସରକାର ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସରକାର କାର୍ଯ୍ୟକ୍ଷେତ୍ରରେ ନୂଆ କରି ପ୍ରବେଶ କରିଥିବା କର୍ମଚାରୀଙ୍କୁ ପ୍ରଥମ ମାସର ଦରମା ଦେବେ। ଗାଁର ଯୁବକମାନେ ଦେଶର ବଡ଼ ବଡ଼ କମ୍ପାନିରେ କାମ କରିବାର ସୁଯୋଗ ପାଇପାରିବେ ବୋଲି ମୋଦୀ କହିଛନ୍ତି।

ସହଯୋଗୀଙ୍କୁ ଖୁସି କରିବାକୁ ଯୋଜନା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍‌ ପ୍ରସ୍ତାବର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଏହା କେବଳ ବନ୍ଧୁ ଓ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ କେନ୍ଦ୍ର ବଜେଟ୍‌ ହେଉଛି ନକଲ। ଏହା ଦେଶର ପ୍ରଗତି ପାଇଁ ଆସିନି ବରଂ ମୋଦୀ ସରକାରଙ୍କୁ ବଞ୍ଚାଇବାପାଇଁ ଆସିଛି। ମୋଦୀ ସରକାରଙ୍କ ନକଲ ବଜେଟ୍‌ କଂଗ୍ରେସର ନ୍ୟାୟ ପତ୍ରକୁ ସଠିକ୍‌ ଭାବେ ନକଲ ବି କରିପାରିନି।