ରାଜ୍ୟସଭାରେ ବଜେଟ ଆଲୋଚନା : ବଜେଟ୍‌ରେ ଓଡ଼ିଶା ହରାଉଛି ୧୨ହଜାର କୋଟି

ନୂଆଦିଲ୍ଲୀ : ଭଲ ପ୍ରଦର୍ଶନ ସତ୍ତ୍ବେ ଓଡ଼ିଶା ପାଇଁ ବଜେଟ୍‌ରେ ଆଶାନୁରୂପ ବ୍ୟୟବରାଦ ହେଉନାହିଁ। ରାଜ୍ୟକୁ ୧୨ ହଜାର କୋଟି ଟଙ୍କା ହରାଇବାକୁ ପଡ଼ୁଛି। ଆଜି ରାଜ୍ୟସଭାରେ କେନ୍ଦ୍ର ବ‌ଜେଟ୍‌ ଆଲୋଚନାରେ ଭାଗନେଇ ଏହା କହିଛନ୍ତି ବିଜେଡି ସାଂସଦ ଡ. ଅମର ପଟ୍ଟନାୟକ।

ସାଂସଦ ଡ. ପଟ୍ଟନାୟକ କହିଥିଲେ ଯେ, ଚଳିତ ବଜେଟରେ ଓଡିଶା ୧୨ ହଜାର କୋଟି ଟଙ୍କା ହରାଇବ। ଏଥିମଧ୍ୟରୁ ୨୦୨୦-୨୧ ଓ ୨୦୨୧-୨୨ ମଧ୍ୟରେ ବଜେଟ ଆକଳନର ଗ୍ୟାପରେ ୬ ହଜାର କୋଟିଟଙ୍କା, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ୫ ହଜାର କୋଟି ଟଙ୍କା ଓ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନ୍ତର୍ଗତ ଅର୍ଥ ହ୍ରାସ ସାମିଲ ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାର ୬ଟି ଜିଲ୍ଲାରେ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ରେଳଲାଇନ ସଂଯୋଗ ହୋଇପାରିନାହିଁ । ସାତ ବର୍ଷରେ କେବଳ ଗୋଟିଏ ରେଳ ଲାଇନ ଓଡିଶାରେ ହୋଇଛି। ରେଳ ମାଲଭଡା ବାବଦରେ ରେଳବାଇ ୧.୪୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳ ପାଇଁ ମାତ୍ର ୧୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିସହିତ, ରେଳବାଇ ଓଡ଼ିଶାକୁ ଖଣିଜଜନିତ କଞ୍ଚାମାଲର କ୍ୟାଚ୍‌ମେଣ୍ଟ ଏରିଆ ରୂପେ ବ୍ୟବହାର କରୁଛି। ଏହା ଉଚିତ୍ କି ବୋଲି ସାଂସଦ ଡ. ପଟ୍ଟନାୟକ ପ୍ରଶ୍ନ କରିଥିଲେ।

ସେହିଭଳି, ଜାତୀୟ ଅର୍ଥନୀତିରେ ଓଡ଼ିଶାର ପର୍ଯ୍ୟାପ୍ତ ଅବଦାନ ସତ୍ତ୍ୱେ ରେଳ ନେଟ୍‌ୱାର୍କ, ଟେଲିକମ୍, ବ୍ୟାଙ୍କିଙ୍ଗ୍‌ ଜାତୀୟ ରାଜପଥ, ବାୟୁପଥ ସଂଯୋଗ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ବହୁତ କମ୍ ସହାୟତା ପ୍ରଦାନ କରାଯାଇଛି। ଏଥିରେ ଅଧିକ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ପାଇଁ ଦାବି କରାଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ଗ୍ରାମୀଣ ଗୃହ ନର୍ମାଣ ଅନ୍ତର୍ଗତ ସମସ୍ତ କଚା ଘରଗୁଡ଼ିକୁ ପକ୍କା ଘର ରୂପେ ପରିଣତ କରିବାର ଦାବିକୁ ମଧ୍ୟ ଗ୍ରହଣ କରାଯାଇନାହିଁ। ମହିଳା, କୃଷକ ତଥା ଏମ୍‌ଏସସ୍‌ଏମ୍‌ଇକୁ କ୍ରେଡିଟ୍ ପ୍ରଦାନ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଶକ୍ତି କ୍ଷେତ୍ରରେ ଓଡ଼ିଶା ୨୦୧୯-୨୦ରେ ୧.୯୪ କୋଟି ଟଙ୍କା ତଥା ୨୦୨୦-୨୧ରେ ୩.୪୫ କୋଟି କ୍ଷତି ସହିଥିବାବେଳେ କ୍ଷତିଭରଣା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ। ମହିଳା ସଶକ୍ତୀକରଣ ପାଇଁ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବା ପାଇଁ ସେ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର