ଆଜିଠାରୁ ସଂସଦର ବଜେଟ ଅଧିବେଶନ : ବିଜେଡି ସାଂସଦଙ୍କ ଭୂମିକା ଉପରେ ନଜର, ଜୁଲାଇ ୫ରେ ଆଗତ ‌ହେବ ପୂର୍ଣ୍ଣାଙ୍ଗ ବଜେଟ୍‌

ନୂଆଦିଲ୍ଲୀ : ସୋମବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଜୁଲାଇ ୨୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମ ଦୁଇଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ। ୧୯ ତାରିଖ ଦିନ ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୦ରେ ରାଷ୍ଟ୍ରପତି ନାମନାଥ କୋବିନ୍ଦ ସଂସଦର କେନ୍ଦ୍ରୀୟ କକ୍ଷରେ ମିଳିତ ଅଧିବେଶନରେ ଉଦବୋଧନ ଦେବେ। ଜୁଲାଇ ୪ରେ ସଂସଦରେ ଅର୍ଥନୈତିକ ସର୍ଭେ ଏବଂ ୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ବଜେଟ୍ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ରୂପେ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ପ୍ରଥମ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରି ୧ରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟେଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନା କରିଥିଲେ।

ସପ୍ତଦଶ ଲୋକସଭାରେ ୨୧ ଜଣ ଓଡ଼ିଆ ସାଂସଦ ପ୍ରଥମ ଓ ଦ୍ବିତୀୟ ଦିନରେ ଶପଥ ନେବେ। ଲୋକସଭା ପାଇଁ ଏଥର ଓଡ଼ିଶାରୁ ବିଜେଡିର ୧୨, ବିଜେପିର ୮ ଓ କଂଗ୍ରେସର ଜଣେ ସାଂସଦ ନିର୍ବାଚିତ ହୋଇଛନ୍ତି। ଏଥର ଓଡ଼ିଶାରୁ ସର୍ବାଧିକ ୭ ଜଣ ମହିଳା ସାଂସଦ ନିର୍ବାଚିତ ହୋଇ ଆସିଛନ୍ତି। ଏଥିରୁ ବିଜେଡିରୁ ୫ ଜଣ ଓ ବିଜେପିରୁ ୨ ଜଣ ଅଛନ୍ତି। କେନ୍ଦୁଝର ଲୋକସଭା ଆସନରୁ ବିଜୟୀ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଭାରତର ସର୍ବକନିଷ୍ଠ ସାଂସଦ ହେବାର ଗୌରବ ଲାଭ କରିଥିବା ବେଳେ ଆସିକା ସଂସଦୀୟ କ୍ଷେତ୍ରରୁ ମିସନ ଶକ୍ତିର ବ୍ରାଣ୍ଡ୍ ଆମ୍ବାସାଡର ପ୍ରମିଳା ବିଶୋୟୀ ବିଜୟୀ ହୋଇ ସଂସଦକୁ ଆସିଛନ୍ତି। ଅନ୍ୟପକ୍ଷରେ ଆଇଏଏସ ଚାକିରି ଛାଡ଼ି ବିଜେପି ସାଂସଦ ରୂପେ ଜିତିଥିବା ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚର୍ଚ୍ଚିତା ମହିଳା ସାଂସଦଙ୍କର ତାଲିକାରେ ସାମିଲ ଅଛନ୍ତି। କଂଗ୍ରେସ ଦଳର ଏକ ମାତ୍ର ସାଂସଦ ରୂପେ କୋରାପୁଟ ଆସନରୁ ଜିତିଥିବା ସପ୍ତଗିରି ଉଲାକାଙ୍କୁ ଏଥର ଲୋକସଭାରେ ଦେଖିବାକୁ ମିଳିବ। ଏଥର ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ପିନାକୀ ମିଶ୍ର ଦାୟିତ୍ବ ତୁଲାଇବେ। ସାଂସଦ ଅଚ୍ୟୁତ ସାମନ୍ତ ଦଳର ସଚେତକ ରୂପେ ଗୃହ ପରିଚାଳନାରେ ସହଯୋଗ କରିବେ। ଉଲ୍ଲେଖଯୋଗ୍ୟ ଯେ ଏଥର ଲୋକସଭାରେ ବାଲେଶ୍ବର ଆସନରୁ ନିର୍ବାଚନ ଜିଣିଥିବା ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରୂପେ ନିଯୁକ୍ତ ହୋଇଛନ୍ତି।

ଷୋଡ଼ଶ ଲୋକସଭାର ସଦସ୍ୟଙ୍କ ତୁଳନାରେ ସପ୍ତଦଶ ଲୋକସଭାରେ ବିଜେଡିର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିବା ସତ୍ତ୍ବେ ସଂସଦରେ ସମସ୍ତ ସାଂସଦ ରାଜ୍ୟର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉଠାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଓ ପ୍ରାକୃତିକ ବିପର୍ଯ୍ୟୟ ଭିତ୍ତିରେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯିବା ଦାବିକୁ ବିଜେଡିର ସାଂସଦମାନେ ସଂସଦରେ ମୁଖ୍ୟ ପ୍ରସଙ୍ଗ କରିବେ। ଏତତ୍ ବ୍ୟତୀତ ଫନି କ୍ଷୟକ୍ଷତି ଭରଣା, ମହାନଦୀ ଜଳ ବିବାଦ, ପୋଲାଭରମ୍ ମାମଲା, କୋଇଲା ରୟାଲିଟି ବୃଦ୍ଧି ଭଳି ପ୍ରସଙ୍ଗଗୁଡ଼ିକ ମଧ୍ୟ ବିଜେଡି ପକ୍ଷରୁ ଉପସ୍ଥାପନ କରାଯିବ। କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ଚିଟ୍‌ଫଣ୍ଡ ତଥା ଗୁମୁଡୁମାହା ଗୁଳିକାଣ୍ଡ ପ୍ରସଙ୍ଗକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି। ତେବେ ବିଜେପି ସାଂସଦମାେନ ରାଜ୍ୟ ସ୍ବାର୍ଥ ପାଇଁ ନିର୍ଦିଷ୍ଟ କି ପ୍ରସଙ୍ଗ େଲାକସଭା ସାମ୍ନାକୁ ଆଣିବେ, ତାହା ଉପରେ ମଧ୍ୟ ନଜର ରହିଛି।

ସଂସଦର ଏହି ଅଧିବେଶନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଆଜି ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ତଥା ବିଲ୍ ଗୁଡ଼ିକ ପାସ୍ କରାଇବାରେ ସବୁ ଦଳର ସହଯୋଗ ଲୋଡ଼ା ଯାଇଥିଲା। ବୈଠକରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଯୋଗଦେଇ ସଂସଦର ଅଧିବେଶନରେ ଦଳ ଦ୍ବାରା ଗୃହର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର