ନୂଆଦିଲ୍ଳୀ : କରୋନା ମାଡ଼ରେ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଗରିବ ଲୋକ ଠାରୁ ଆରମ୍ଭ କରି ଚାଷୀ, ମଧ୍ୟବିତ୍ତ ପରିବାର ଏବଂ ବେତନଭୋଗୀ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରୁ ଉଦ୍ଧାର ପାଇବା ଲାଗି ବଜେଟରେ ବ୍ୟବସ୍ଥା ରହିବ ବୋଲି ସେମାନେ ଆଶା କରିବା ସ୍ବାଭାବିକ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମଙ୍ଗଳବାର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ସେଥିରେ ଡିଜିଟାଲ ସ୍ବପ୍ନ ଦେଖାଇଛନ୍ତି। ଏଥିପାଇଁ ୨୫ ବର୍ଷର ନକ୍ସା ପ୍ରସ୍ତୁତ କରାଯାଇଛି। କିନ୍ତୁ ସାଧାରଣ ବର୍ଗର ଲୋକ ଏବେ ଉପକୃତ ହେଲା ଭଳି କୌଣସି ବ୍ୟବସ୍ଥା କରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାମାରୀ ଯୋଗୁଁ କ୍ଷତି ପରେ ସୁଧୁରୁଥିବା ଭାରତୀୟ ଅର୍ଥନୀତିର ଅଗ୍ରଗତିକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି ଖର୍ଚ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ନୂଆ ଆର୍ଥିକ ବର୍ଷରେ ଜାତୀୟ ରାଜପଥର ଆହୁରି ୨୫ ହଜାର କିଲୋମିଟର ସଂପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଗୃହ ନିର୍ମାଣ ଲାଗି ୪୮ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟରେ ପ୍ରାୟ ୪୦ ଲକ୍ଷ କୋଟି ଟଙ୍କା ଖର୍ଚର ବ୍ୟବସ୍ଥା କରାଯାଇଛି। ଟିକସ ଆଦାୟ ଏବଂ ଋଣ କରି ସରକାର ଏହି ଖର୍ଚ ଭରଣା କରିବେ। ତେବେ ବ୍ୟକ୍ତିଗତ ଆୟକର ସ୍ଲାବରେ କୌଣସି ପରିବର୍ତନ କରାଯାଇ ନାହିଁ କି ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ କୌଣସି ପ୍ରକାର ରିହାତି ଘୋଷଣା କରାଯାଇ ନାହିଁ।
ବଜେଟ୍ରେ ଆସନ୍ତା ୨୫ ବର୍ଷ ପାଇଁ ସ୍ବପ୍ନ ଦେଖାଇଛନ୍ତି ସରକାର। ଏହାର ନାମ ରଖାଯାଇଛି ଅମୃତ କାଳ। ୭୫ ବର୍ଷର ସ୍ବାଧୀନ ଭାରତ ୧୦୦ ବର୍ଷରେ ପଦାର୍ପଣ କରିବା ସମୟରେ ଦେଶର ସ୍ଥିତି କିଭଳି ରହିଥିବ ତାହାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଲୋକମାନଙ୍କ ଜୀବନ ଧାରଣ ମାନକୁ ଆହୁରି ସହଜ କରିବା ଲାଗି ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ସମସ୍ତ ବ୍ୟବସ୍ଥାକୁ ଡିଜିଟାଲ କରିବା ଲାଗି ଉଦ୍ୟମ କରାଯିବ। ଚିପ୍ ଲାଗିଥିବା ଇ-ପାର୍ସପୋର୍ଟ ଜାରି କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପ୍ରଚଳନ କରିବ। ଆସନ୍ତା ବର୍ଷ ସୁଦ୍ଧା ୫ଜି ମୋବାଇଲ ସେବା ଆରମ୍ଭ ହେବ। ଡିଜିଟାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରାଯାଇଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ୬୦ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରାଯିବ। ଆଗାମୀ ୩ ବର୍ଷରେ ୪୦୦ ନୂଆ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ। ଫସଲ କ୍ଷତିର ଆକଳନ ଲାଗି ଡ୍ରୋନର ବ୍ୟବହାର କରାଯିବ। ଭାରତକୁ ଡିଜିଟାଲ ବିଶ୍ବ ଆଡ଼କୁ ନେବାଲାଗି ସରକାର କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ କ୍ରିପଟୋକରେନସି ବା ଘରୋଇ ସଂସ୍ଥା ଦ୍ବାରା ଡିଜିଟାଲ ମୁଦ୍ରା ପ୍ରଚଳନକୁ ନିରୁତ୍ସାହିତ କରିବା ଲାଗି ଏହାର କାରବାର ଉପରେ ୩୦ ଭାଗ ଟିକସ ଲଗାଇବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ବଜେଟର ପ୍ରଶଂସା କରି ଏହାକୁ ପ୍ରଗତିଶୀଳ ବଜେଟ ବର୍ଣ୍ଣନା କରିଥିବା ବେଳେ ବିରୋଧୀ ଦଳ ବଜେଟ ବ୍ୟବସ୍ଥାର ତୀବ୍ର ସମାଲୋଚନା କରିଛନ୍ତି। ଏହାକୁ ନୈରାଶ୍ୟଜନକ ବଜେଟ ବର୍ଣ୍ଣନା କରି ସେମାନେ କହହିଛନ୍ତି ଯେ ଗରିବ, ମଧ୍ୟବିତ୍ତ, ଭେତନଭୋଗୀ ଏବଂ ଏପରିକି ଚାଷୀମାନଙ୍କୁ ମଧ୍ୟ ନିରାଶ କରିଛି। ମହାମାରୀ ଯୋଗୁଁ ଦୁର୍ଦିନରେ ରହିଥିବା ଏହି ଶ୍ରେଣୀର ଲୋକମାନଙ୍କ ଲାଗି ସରକାର କୌଣସି ରିହାତି ଘୋଷଣା କରି ନାହାନ୍ତି। ସରକାର ସେମାନଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି। ବଜେଟରେ ଯୁବକମାନଙ୍କ ଆଶାକୁ ଗୁରୁତର ଧକ୍କା ଲାଗିଛି। ଚାହିଦା ବୃଦ୍ଧି ଏବଂ କ୍ଷୁଦ୍ର ବ୍ୟବସାୟକୁ ଉତ୍ସାହିତ କରିବା ଲାଗି ବଜେଟରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆଗାମୀ ୨୫ ଲାଗି ନକ୍ସା ପ୍ରସ୍ତୁତ କରିଛନ୍ତି, କିନ୍ତୁ ସାଧାରଣ ଲୋକକୁ ଏବେ ଉପକୃତ କଲାଭଳି କୌଣସି ବ୍ୟବସ୍ଥା କରି ନାହାନ୍ତି। ଏହାସବୁ ଠାରୁ ଖରାପ ବଜେଟ୍ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ମହଙ୍ଗା
ଇମ୍ପୋର୍ଟେଡ୍ ଛତା
ଇମିଟେସନ୍ ଗହଣା
ସ୍ମାର୍ଟ ମିଟର
ସିଙ୍ଗଲ୍ ଓ ମଲ୍ଟିପଲ୍ ଲାଉଡ୍ ସ୍ପିକର
ହେଡ୍ଫୋନ୍ ଏବଂ ଇୟରଫୋନ୍
ସୋଲାର ସେଲ୍
ସୋଲାର ମଡ୍ୟୁଲ୍ସ
ଏକ୍ସରେ ମେସିନ୍
ଇଲେକ୍ଟ୍ରୋନିକ୍ସ ଖେଳଣା ଉପକରଣଶସ୍ତା
ପୋଷାକ
ପଲିସ୍ ହୀରା
କ୍ୟାମେରା ଲେନ୍ସ
ମୋବାଇଲ୍, ଚାର୍ଜର
ମିଥାଇଲ୍ ଆଲ୍କୋହଲ
ଷ୍ଟିଲ୍ ସ୍କ୍ରାପ୍
ଜେମ୍ଷ୍ଟୋନ୍ସ
ଚମଡ଼ା ସାମଗ୍ରୀ
ଏସିଟିକ୍ ଏସିଡ୍
କୋକୋ ବିନ୍ସ