ଅକ୍ଟୋବର ୧୨ରୁ ବଜେଟ୍ ପ୍ରସ୍ତୁତି: ନିର୍ମଳାଙ୍କର ଚତୁର୍ଥ ବଜେଟ୍‌

ପ୍ରାକ୍ ବଜେଟ୍ ଆଲୋଚନା ନଭେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ଦ୍ବିତୀୟ ଲହର ପ୍ରଭାବ ଧୀରେ ଧୀରେ ଦୂର ହେଉଥିବା ବେଳେ ଆସନ୍ତା ଅକ୍ଟୋବର ୧୨ ଠାରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ। ନିଯୁକ୍ତି ସୃଷ୍ଟି କରିବା, ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ାଇବା ଏବଂ ଅର୍ଥନୀତିକୁ ୮ ପ୍ରତିଶତ ଅଭିବୃଦ୍ଧି ପଥରେ ଅବସ୍ଥାପିତ କରିବା ଭଳି ଆହ୍ବାନ ସରକାରଙ୍କ ସାମ୍ନାରେ ରହିଛି। ‌ଏହାକୁ ଦୃଷ୍ଟିରେ ରଖି ବଜେଟ୍‌ରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ଦ୍ବିତୀୟ ପାଳିର ଚତୁର୍ଥ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟ ଏହା ଚତୁର୍ଥ ବଜେଟ୍ ହେବ।

ଅକ୍ଟୋବର ୧୨ରୁ ପ୍ରାକ୍ ବଜେଟ୍/ ସଂଶୋଧିତ ଆକଳନ ବୈଠକ ଆରମ୍ଭ ହେବ ବୋଲି ଅର୍ଥନୈତିକ ବ୍ୟାପାର ବିଭାଗର ବଜେଟ୍‌ ଡିଭିଜନ୍ ପକ୍ଷରୁ ଜାରି କରାଯାଇଥିବା ବଜେଟ୍ ସର୍କୁଲାର (୨୦୨୨-୨୩)ରେ ଉଲ୍ଲେଖ ରହିଛି। ବିଭିନ୍ନ ବିଭାଗ ଯେଉଁ ବ୍ୟୟର ଯେଉଁ ବିବରଣୀ ଦେବେ ସେ ବିଷୟରେ ବ୍ୟୟ ସଚିବ ବିଭିନ୍ନ ବିଭାଗର ସଚିବ ଓ ଆର୍ଥିକ ଉପଦେଷ୍ଟାମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ବ୍ୟୟ ଅଟକଳ ଧାର୍ଯ୍ୟ କରିବେ। ପ୍ରାକ୍ ବଜେଟ୍ ଆଲୋଚନା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ନଭେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ବିଭିନ୍ନ ବିଭାଗର ଚୂଡ଼ାନ୍ତ ବଜେଟ୍ ଅଟକଳ ଧାର୍ଯ୍ୟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। କେନ୍ଦ୍ରୀୟ ସ୍କିମ୍ ଓ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକର ବଜେଟ୍ ବ୍ୟୟବରାଦ ଉପରେ ମଧ୍ୟ ଆଲୋଚନା ହେବ।

‌ଆସନ୍ତା ବର୍ଷ ଫେବ୍ରୁଆରି ୧ରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଉପନିବେଶବାଦ ସମୟରୁ ଚାଲି ଆସୁଥିବା ବଜେଟ୍ ଉପସ୍ଥାପନ ପରମ୍ପରାକୁ ମୋଦୀ ସରକାର ବଦଳାଇଥିଲେ। ପ୍ରତିବର୍ଷର ଫେବ୍ରୁଆରି ମାସ ଶେଷ ଦିନରେ ବଜେଟ୍‌ ଉପସ୍ଥାପନ ହେଉଥିଲା। ତାହାକୁ ପରିବର୍ତ୍ତନ କରି ଫେବ୍ରୁଆରି ୧ରେ ବଜେଟ୍ ଘୋଷଣା କରାଯାଉଛି। ୨୦୧୭ ଫେବ୍ରୁଆରି ୧ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହି ପରମ୍ପରା ଭାଙ୍ଗିଥିଲେ। ଏହା ପରଠାରୁ ଏପ୍ରିଲ୍ ୧ରୁ ମନ୍ତ୍ରଣାଳୟଗୁଡ଼ିକୁ ବଜେଟ୍‌ରେ ଆବଣ୍ଟିତ ପାଣ୍ଠି ମିଳିବା ଆରମ୍ଭ ହେଉଛି। ଆର୍ଥିକ ବର୍ଷ ଅନୁସାରେ ବ୍ୟୟ ଉପରେ ନଜର ରଖାଯାଉଛି। ପୂର୍ବରୁ ପ୍ରଚଳିତ ବ୍ୟବସ୍ଥାରେ ବଜେଟ୍‌କୁ ଅନୁମୋଦନ ପ୍ରଦାନ କରିବା ଲାଗି ମେ’ ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହା ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଉଥିଲା। ଫଳରେ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବରରୁ ସେମାନଙ୍କ ପ୍ରକଳ୍ପରେ ବ୍ୟୟ ଆରମ୍ଭ କରୁଥିଲେ।

ସମ୍ବନ୍ଧିତ ଖବର