ଶେଷ ହେଲା ସଂସଦର ବଜେଟ୍ ଅଧିବେଶନ: ଅନୁମୋଦନ ଲାଭ କଲା ମୋଟ୍ ୧୧ଟି ବିଲ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ୨୦୨୨ ଶେଷ ହୋଇଛି । ଆଜି ଅର୍ଥାତ୍ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସଦର ବଜେଟ୍ ଅଧିବେଶନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବଜେଟ୍ ଅଧିବେଶନ ୨୦୨୨ରେ ରାଜ୍ୟସଭା ଏବଂ ଲୋକସଭାର ୨୭ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନର ଅବଧି ୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଦାବି କାରଣରୁ ଗୋଟିଏ ଦିନ ପୂର୍ବରୁ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ଏବଂ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍ ଉପସ୍ଥିତ ଥିଲେ ।

ସଂସଦର ବଜେଟ୍ ଅଧିବେଶନ, ୨୦୨୨ ସୋମବାର, ୩୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇଥିଲା। ଏହାକୁ ଆଜି ଅର୍ଥାତ୍ ୭ ଏପ୍ରିଲ, ୨୦୨୨ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏଥିପୂର୍ବରୁ ମଧ୍ୟମ ଅବକାଶ ପାଇଁ ୧୧ ଫେବୃଆରୀ ୨୦୨୨ରେ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ୧୪ ମାର୍ଚ୍ଚ ୨୦୨୨ରେ ପୁଣିଥରେ ଉଭୟ ସଦନର କାର୍ଯ୍ୟଦିବସ ଆରମ୍ଭ ହୋଇଥିଲା। ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ କମିଟି ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟମାନଙ୍କର ଅନୁଦାନ ଦାବିର ଯାଞ୍ଚ କରି ରିପୋର୍ଟ ଦେବା ସକାଶେ ଏହି ମଧ୍ୟବର୍ତ୍ତୀ ଅବକାଶ ଘୋଷଣା କରାଯାଇଥିଲା। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ରାଜ୍ୟସଭାର ମୋଟ୍ ୧୦ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ସଦନର ୧୭ଟି ବୈଠକ ଆୟୋଜିତ ହୋଇଥିଲା।

ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସଭା ବୈଠକ ପାଇଁ ଲୋକସଭା କକ୍ଷ, ଲୋକସଭା ପବ୍ଲିକ୍ ଗ୍ୟାଲେରୀ, ରାଜ୍ୟ ସଭା କକ୍ଷ ଏବଂ ରାଜ୍ୟସଭା ପବ୍ଲିକ୍ ଗ୍ୟାଲେରୀକୁ ବୈଠକ ପାଇଁ ବ୍ୟବହାର କରିଥିଲା। ଅନ୍ୟପଟେ ରାଜ୍ୟସଭା ନିଜର ବୈଠକ ପାଇଁ ରାଜ୍ୟସଭା କକ୍ଷ ଏବଂ ରାଜ୍ୟସଭା ପବ୍ଲିକ୍ ଗ୍ୟାଲେରୀକୁ ଉପଯୋଗ କରିଥିଲା। ଲୋକସଭା ବୈଠକ ଆବଶ୍ୟକତା କ୍ଷେତ୍ରରେ ଅପରାହ୍ଣ ୪ଟାରୁ ୯ଟା ପର୍ଯ୍ୟନ୍ତ ବସୁଥିଲା। କେବଳ ୩୧ ଜାନୁଆରୀ ୨୦୨୨ ଏବଂ ୧ ଫେବୃଆରୀ, ୨୦୨୨ରେ ବୈଠକର ପ୍ରଥମ ଦିନରେ ଏପରି ହୋଇନଥିଲା। ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯାୟରେ ଏହି ସଦନଗୁଡ଼ିକର ସମୟକୁ ସବୁ ପ୍ରୋଟୋକଲ ପାଳନ କରି ସ୍ବାଭାବିକ କରି ଦିଆଯାଇଥଲା, ଅର୍ଥାତ୍ ପୂର୍ବାହ୍ନ ୧୧ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ଆବଶ୍ୟକତା କ୍ଷେତ୍ରରେ ଅଧିକ ଅବଧି ସହିତ) ବୈଠକ ବସିଥିଲା। ଚଳିତ ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ମହାମହିମ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୮୭(୧)ର ସର୍ତ୍ତ ଅନୁଯାୟୀ ୩୧ ଜାନୁଆରୀ, ୨୦୨୨ରେ ସଂସଦର ଉଭୟ ସଦନକୁ ଏକ ମିଳିତ ବୈଠକରେ ସମ୍ବୋଧିତ କରିଥିଲେ । ଏହି ଅଧିବେଶନ କାଳରେ ମୋଟ୍ ୧୩ଟି ବିଲ (ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ୧) ଉପସ୍ଥାପନ କରାଯାଇଥିଲା। ଲୋକସଭାରେ ୧୩ଟି ଏବଂ ରାଜ୍ୟସଭାରେ ୧୧ଟି ବିଲ ଅନୁମୋଦନ ଲାଭ କରିଥିଲା। ସଂସଦର ଉଭୟ ସଦନରେ ମୋଟ୍ ୧୧ଟି ବିଲ୍ ଅନୁମୋଦନ ଲାଭ କରିଥିଲା।

ସମ୍ବନ୍ଧିତ ଖବର