ସୋମବାରଠାରୁ ବଜେଟ ଅଧିବେଶନ, ବିରୋଧୀ ଦଳଙ୍କ ସହଯୋଗ କାମନା କଲେ ମୋଦୀ

ନୂଆଦିଲ୍ଲୀ : ସୋମବାରଦିନ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଟିଏମସି ନେତା ଡେରିକ ଓବ୍ରାଏନ ପ୍ରମୁଖ ଯୋଗଦେଇଥିଲେ । ସଂସଦର ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ ହେବାକୁ ଥିବାବେଳେ ମୋଦୀ ବିପକ୍ଷର ସହଯୋଗ ଲୋଡିଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ସବୁ ଦଳର ମୁଖ୍ୟମାନଙ୍କୁ ଭେଟିବେ । ଏହି ଅବସରରେ ଗୋଟିଏ ଦଳ ଗୋଟିଏ ନିର୍ବାଚନ, ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ, ମହାତ୍ମା ଗାନ୍ଧିଙ୍କ ଜନ୍ମର ୧୫୦ ବର୍ଷ ପାଳନ ଆଦି ସଂପର୍କରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦ରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦଳର ସାଂସଦମାନଙ୍କୁ ମଧ୍ୟ ଭେଟିବେ ।

ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜୁନ ୧୯ରେ ଲୋକସଭା ବାଚସ୍ପତି ଚୟନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ ୨୦ରେ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ । ଆସନ୍ତା ଜୁଲାଇ ୫ ରେ କେନ୍ଦ୍ର ବଜେଟ ଲୋକସଭାରେ ଆଗତ କରାଯିବ ।

ସମ୍ବନ୍ଧିତ ଖବର