ଶେଷ ହେଲା ସଂସଦର ବଜେଟ ଅଧିବେଶନ : ଉଠିଥିଲା ଓଡ଼ିଶାର ଏକାଧିକ ପ୍ରସଙ୍ଗ

ଲୋକସଭାରେ ସମସ୍ତ ୧୮ଟି ବିଲ୍‌କୁ ବିଜେଡିର ସମର୍ଥନ
ରାଜ୍ୟସଭାରେ ୧୯ରୁ ୧୮ଟି ବିଲ୍‌କୁ ସମର୍ଥନ କଲା ବିଜେଡି
ଏମ୍‌ଏସ୍‌ପି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଓ ବିଜେଡିର ଜବାବ ଚର୍ଚ୍ଚାରେ ଥିଲା
ଅନ୍ତିମ ଦିବସରେ ଲୋକସଭା ପରିଚାଳନା କଲେ ଭର୍ତ୍ତୃହରି

ନୂଆଦିଲ୍ଲୀ, (ନଇମ ଅଖତର) : ସଂସଦର ବଜେଟ୍‌ ଅଧିବେଶନ ଗତକାଲି ଶେଷ ହୋଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଗତବର୍ଷ ୧୨ଦିନ ପୂର୍ବରୁ ବଜେଟ୍‌ ଅଧିବେଶନକୁ ସମାପ୍ତ କରାଯାଇଥିଲା। ଚଳିତବର୍ଷ ମଧ୍ୟ କ‌‌ରୋନା ଏବଂ ୫ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟି‌ରେ ରଖି ଅଧିବେଶନକୁ ଆଗୁଆ ଶେଷ କରାଯାଇଛି। ଅର୍ଥାତ୍‌ ଆସନ୍ତା ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ବଜେଟ୍‌ ଅଧିବେଶନ ଚାଲିବାକୁ ଥିବାବେଳେ ଆଜି ସମାପ୍ତ ଘୋଷଣା କରାଯାଇଛି। ତେବେ, ଲୋକସଭାର ୨୪ଟି ଓ ରାଜ୍ୟସଭାର ୨୩ଟି କାର୍ଯ୍ୟଦିବସରେ ଓଡ଼ିଶା ପାଇଁ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଅଧିବେଶନ କାଳରେ ଓଡ଼ିଶାର ବହୁ ପ୍ରସଙ୍ଗ ଉତ୍‌ଥାପିତ ହେବା ସହିତ ବହୁ ସାଂସଦ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ବିଜେଡି ସମୁଦାୟ ୧୪ଟି ପ୍ରସଙ୍ଗ ଗୃହରେ ଉପସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। ତଦନୁଯାୟୀ ଦଳର ସାଂସଦମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ, ବଜେଟ ଆଲୋଚନା, ବିଭିନ୍ନ ବିଭାଗର ଅନୁଦାନ ଦାବି ଆଲୋଚନା, ଶୂନ୍ୟକାଳ, ପ୍ରଶ୍ନକାଳ ତଥା ସ୍ପେସାଲ ମେନ୍‌ସନ୍ ଜରିଆରେ ଏହିସବୁ ପ୍ରସଙ୍ଗକୁ ଉଠାଇବା ସହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକସଭାରେ ଗୃହୀତ ହୋଇଥିବା ସମୁଦାୟ ୧୮ଟି ବିଲ୍‌କୁ ବିଜେଡି ସମର୍ଥନ ଦେଇଥିବାବେଳେ ରାଜ୍ୟସଭାରେ ୧୯ଟିରୁ ୧୮ଟି ବିଲ୍‌କୁ ସମର୍ଥନ ଜଣାଇଥିଲା। ତେବେ, ଦିଲ୍ଲୀ ସଂକ୍ରାନ୍ତୀୟ ସଂଶୋଧନ ବିଲ୍‌କୁ ବିରୋଧ କରି ରାଜ୍ୟସଭାରେ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବିଜେଡି ସ୍ବାମୀନାଥନ୍‌ ରିପୋର୍ଟକୁ ଲାଗୁ କରିବା ପାଇଁ ଗୃହରେ ଦାବି କରିଥିଲେ। ସେହିଭଳି, ସର୍ବାଧିକ ରାଜସ୍ବ ସଂଗ୍ରହ ସତ୍ତ୍ବେ ରେଳବାଇ କ୍ଷେତ୍ରରେ କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳାର ତୀବ୍ର ପ୍ରତିବାଦ ଜଣାଇଥିଲେ।

ଅପରପ‌କ୍ଷରେ, ବିଜେପିର ସାଂସଦମାନେ ନିଜନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଗୃହରେ ଉତ୍‌ଥାପନ କରିଥିଲେ। ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ହୋମ୍‌ଗାର୍ଡଙ୍କ ଭତ୍ତା ବୃଦ୍ଧି, ମଣ୍ଡି‌ରେ ପଡ଼ିଥିବା ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନର ଉଠାଣ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି, ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା , ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ଏବଂ ବିକାଶ ଯୋଜନା ଅନ୍ତର୍ଗତ ପ୍ରଭାବିତ ବିସ୍ଥାପିତଙ୍କୁ ଥଇଥାନ ପ୍ରସଙ୍ଗ ମଧ୍ୟ ବିଜେପିର ସାଂସଦମାନେ ଉପସ୍ଥାପନ କରିଥିଲେ।

ଅନ୍ୟପକ୍ଷରେ, କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଳଭିତ୍ତିଭୂମିର ବିକାଶ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ମୋବାଇଲ ନେଟ୍‌ୱାର୍କ ସ୍ଥାପନ ପାଇଁ ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଖଣି ଓ ଖଣିଜ ସଂଶୋଧନ ବିଲ ଆଲୋଚନାରେ ଭାଗନେଇ ଶ୍ରୀ ଉଲାକା ଓଡିଶାର ଖଣି ବହୁଳ ଜିଲ୍ଲାର ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିବା ସହିତ ଖଣି କଂପାନିଗୁଡିକ ଓଡ଼ିଶାର ଆଦିବାସୀ ଅଞ୍ଚଳର ଶ୍ରମିକମାନଙ୍କୁ ନିୟୋଜିତ କରୁନଥିବାର ଅଭିଯୋଗ କରିଥିଲେ।

ବଜେଟ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଗନେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋଦୀ ସରକାରଙ୍କ ସମୟରେ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ତଥା ପୂର୍ବ ଭାରତର ବିକାଶ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଅଭିଭାଷକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ଥିଲା ଉଲ୍ଲେଖନୀୟ ଘଟଣା। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରସଙ୍ଗରେ ସଠିକ୍‌ ତଥ୍ୟ ଉପସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡି ସାଂସଦଙ୍କୁ ପରାମର୍ଶ ଦେବା ଏବଂ ବିଜେଡି ସାଂସଦମାନେ ଏହି ଆହ୍ବାନକୁ ଗ୍ରହଣ କରି ମତ ରଖିବା ଥିଲା ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା।

ତେବେ, ରାଜ୍ୟ ସମ୍ପର୍କିତ କେତେକ ପ୍ରସଙ୍ଗରେ ବିଜେଡି ସାଂସଦଙ୍କୁ ନିରାଶ ହେବାକୁ ପଡ଼ିଛି। ଯେମିତିକି, କୋଇଲା ରୟାଲିଟି ବୃଦ୍ଧି ଏବଂ ମହିଳା ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି। ପ୍ରଥମଥର ପାଇଁ ଲୋକସଭାର ବାଚସ୍ପତିଙ୍କ ଅନୁପସ୍ଥିତରେ ଲୋକସଭା ଅଧ୍ୟକ୍ଷ ପ୍ୟାନେଲ୍‌ରେ ଥିବା ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବଜେଟ୍‌ ଅଧିବେଶନର ଅନ୍ତିମ ଦିବସକୁ ପରିଚାଳନା କରିଥିଲେ ଏବଂ ସେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସେହିଭଳି, ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍‌ରୁ ବିଜେଡି ସାଂସଦ ଡଃ ସସ୍ମିତ ପାତ୍ର ବିଭିନ୍ନ ସମୟରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର