ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିବେ। ଏହାପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ। ଫେବୂଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପିତ ହେବ। ସୀତାରମଣ ଲଗାତାର ଚତୁର୍ଥ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭା ଭିନ୍ନ ଭିନ୍ନ ସମୟରେ ଚାଲିବ। ଫେବୂଆରୀ ୨ରୁ ୧୧ ତାରିଖ ମଧ୍ୟରେ ରାଜ୍ୟ ସଭା ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ।

Advertisment

ବଜେଟ ଉପସ୍ଥାପନ ପୂର୍ବରୁ ଆଜି ଅପରାହ୍ନ ୩ଟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକ ଭର୍ଚ୍ଚୁଆଲରେ ଅନୁଷ୍ଠିତ ହେବ। ଏଥିରେ ବଜେଟର ରୂପରେଖ ସଂପର୍କରେ ଆଲୋଚନା କରାଯିବ। ଅଧିବେଶନ କାଳରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ସରକାର ଆଣିବାକୁ ଥିବା ବିଧେୟକଗୁଡିକର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି।

ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ (ବିଜେଡି)ର ଲୋକସଭା ଏବଂ ରାଜ୍ୟସଭାର ନେତା ଯୋଗଦେବେ ବୋଲି ଜଣାପଡିଛି। ବୈଠକରେ ବିଜେଡି ଓଡିଶା ବିଧାନ ପରିଷଦ ଗଠନ କରାଯିବା ନେଇ ସମ୍ବିଧାନ ସଂଶୋଧନ ବିଲକୁ ଆଗତ କରି ପାରିତ କରିବା ପାଇଁ ଦାବି ଉପସ୍ଥାପନ କରିପାରେ। ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ପାଇଁ ପୁଣିଥରେ ବିଜେଡି ସର୍ବଦଳୀୟ ବୈଠକରେ ଦାବି ଦୋହରାଇପାରେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସଂସଦରେ ରାଜ୍ୟ ସ୍ବାର୍ଥ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ବିଜେପି ଏବଂ ବିଜେଡି ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ବିଜେଡିର ଜଣେ ନେତା କହିଛନ୍ତି ଯେ ସଂସଦର ବଜେଟ ଅଧିବେଶନରେ ବିଜେଡି ପକ୍ଷରୁ ରାଜ୍ୟ ସ୍ବାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗ ଉଠାଯିବ। କେନ୍ଦ୍ରୀୟ ଅବହେଳା ସହିତ ସର୍ବଭାରତୀୟ ପ୍ରଶାସନିକ କ୍ୟାଡର ରୁଲ୍ସ ପରିବର୍ତ୍ତନ ପ୍ରସ୍ତାବ ଉପରେ ମଧ୍ୟ ବିଜେଡି କଡା ଆଭିମୁଖ୍ୟ ଗ୍ରହଣ କରିପାରେ। କ୍ୟାଡର ରୁଲ୍ସ ପରିବର୍ତ୍ତନ ଲାଗି କେନ୍ଦ୍ରର ପ୍ରସ୍ତାବକୁ ସବୁ ବି‌‌ରୋଧୀ ଦଳ ଶାସିତ ରାଜ୍ୟ ବିରୋଧ କରୁଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରକୁ ସେମାନେ ଅଡ଼ୁଆରେ ପକାଇ ପାରନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ସେମାନଙ୍କର ସଂସଦୀୟ କ୍ଷେତ୍ରର ସମସ୍ୟା ତଥା ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର କ୍ରିୟାନ୍ବୟନରେ ବିଫଳତାକୁ ନେଇ ଦୃଷ୍ଟି ଆକର୍ଷଣ କରିବେ। ବିଜେପି ସାଂସଦ ବସନ୍ତ ପଣ୍ଡା ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଅର୍ଥ ଦିଆଯିବା ସତ୍ତ୍ବେ ମଣ୍ଡିରୁ ଧାନ ନ ଉଠିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ରାଜ୍ୟର ଦଶଟି ଜିଲ୍ଲାକୁ ଗୃହ ଯୋଗାଇନଦେବା ପ୍ରସଙ୍ଗ, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାନଯିବା ପ୍ରସଙ୍ଗକୁ ସଂସଦରେ ଉଠାଯିବା ସହିତ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିକୁ ଦୋହରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେହିଭଳି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଦ୍ବାରା ଦରଦାମ ବୃଦ୍ଧି, କଂସାରୀଗୁଡାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ନିର୍ମାଣ ପ୍ରସଙ୍ଗ,ଝୋଡିଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା, ଦୁର୍ଗମ ଅଞ୍ଚଳରେ ମୋବାଇଲ ସଂଯୋଗୀକରଣ ତଥା ଯୋଗାଯୋଗ ସଂପର୍କିତ ଏକାଧିକ ପ୍ରସଙ୍ଗ ବଜେଟ ଅଧିବେଶନରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି।