ଆଜିଠାରୁ ସଂସଦର ବଜେଟ ଅଧିବେଶନ

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବନି ବିଜେଡି

ନୂଆଦିଲ୍ଲୀ : ଆଜି (ଶୁକ୍ରବାର)ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଗୃହର ମିଳିତ ଅଧିବେଶନରେ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୬ଟି ବିରୋଧୀ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ତିନିଟି କୃଷି ବିଲ୍ ଜୋରଜବରଦସ୍ତ ଏବଂ ବିରୋଧୀଙ୍କ ସହ ଆଲୋଚନା ନକରି ପାରିତ କରାଯାଇଥିବା କାରଣରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣିଅନ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରିବେ।

କିନ୍ତୁ ବିଜେଡି ଭିନ୍ନ ଭୂମିକା ଆପଣାଇବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ସାମ୍ବିଧାନିକ ପରମ୍ପରା ହୋଇଥିବାରୁ ବିଜେଡି ଅଭିଭାଷଣରେ ସାମିଲ ରହିବ ବୋଲି ରାଜ୍ୟସଭାର ବିଜେଡି ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବିଜେଡିକୁ ବିରୋଧୀ ଦଳର ନେତାମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ଦଳ ଏହାକୁ ଗ୍ରହଣ ନାହିଁ। ସେହିଭଳି ବିଜୁ ଜନତା ଦଳର କୃଷି ଆଇନ ଉପରେ କ’ଣ ଆଭିମୁଖ୍ୟ ସଂସଦରେ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ରୂପେ ଜଣାପଡ଼ି ନାହିଁ। ଏଥର ବିଜେଡି ସଂସଦୀୟ ଦଳର ବୈଠକରେ ସଂସଦର ରାଜ୍ୟ ସ୍ୱାର୍ଥ ସମ୍ବନ୍ଧିତ ପ୍ରସଙ୍ଗ ଉଠାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଜେଡିର ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କୁ ପ୍ରସଙ୍ଗ ଗୁଡ଼ିକ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୧୩ଟି ପ୍ରସଙ୍ଗରୁ ଅଧିକାଂଶ ପ୍ରସଙ୍ଗ ଗୁଡ଼ିକ ପୂର୍ବରୁ ସଂସଦର ଦୃଷ୍ଟି ଆକର୍ଷଣ କରାଯାଇଛି। ବର୍ତ୍ତମାନର ରାଜନୈତିକ ପରିଦୃଶ୍ୟରେ ବିଜେଡି ଦାବି ହାସଲ କରିବା ପାଇଁ ସ୍ୱରକୁ ଅଧିକ ଶାଣିତ କରିପାରେ ବୋଲି ଅନୁମାନ କରାଯାଉଛି। ବିଶେଷକରି ଓଡ଼ିଶା ବିଧାନ ପରିଷଦ ଦାବି, ମହିଳା ସଂରକ୍ଷଣ, ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପ୍ରସଙ୍ଗର ଦାବିକୁ ଦୃଢ ସ୍ୱରରେ ଉପସ୍ଥାପନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସେହିଭଳି ସର୍ବଦଳୀୟ ବୈଠକରେ ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ ସମ୍ପର୍କିତ ବିଲ୍‌କୁ ଚଳିତ ବଜେଟ୍ ଅଧିବେଶନରେ ସରକାରଙ୍କ ବିଧେୟକ କାର୍ଯ୍ୟସୂଚୀରେ ସାମିଲ ପାଇଁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ମିଳିଛି, ଏଥର ବଜେଟ୍ ଅଧିବେଶନରେ ପ୍ରଶ୍ନକାଳ ରହିବା ଯୋଗୁଁ ବିଜେଡି ସାଂସଦମାନେ ଏକାଧିକ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଲୋଡିବେ। ବଜେଟ୍ ଅଧିବେଶନରେ ବିଜେପି ପକ୍ଷରୁ ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଗୃହରେ ପ୍ରସଙ୍ଗକୁ ଉଠାଇବା ପାଇଁ ଆଲୋଚନା ଚାଲିଥିବା ବେଳେ ବେଳେ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ସହିତ ଝୋଡ଼ିଆ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର